ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗର ଅଜବ ନୀତି: କେନାଲ ପୋତି, ୧ ଫୁଟିଆ ନାଳ ଖୋଳିବାକୁ ନିଆଯାଉଛି ନିଷ୍ପତି

116

କନକ ବ୍ୟୁରୋ: ୧ ଫୁଟିଆ ନାଳ ଖୋଳିବାକୁ ଯୋଜନା କରୁଛି କ୍ଷୁଦ୍ର ଜଳସେଚନ ବିଭାଗ । ସରକାରୀ ଟଙ୍କାକୁ କିଭଳି ମନଇଛା ଖର୍ଚ କରାଯାଏ, ତାର ଉଦାହରଣ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ରାଜା ରାଜୁଡା ଅମଳ କେନାଲର ପୁନଃରୁଦ୍ଧାର ପାଇଁ ଚାଷୀମାନେ ବାରମ୍ବାର ଦାବି କରୁଥିବ ବେଳେ ଫୁଟେ ଓସାରର ନାଳ ଖୋଳିବାକୁ ଦେଢ କୋଟିର ବ୍ୟୟବରାଦ କରିଛି ବିଭାଗ ।

ପାରଳାଖେମୁଣ୍ଡି ସହରର ଦୁଇ କଡରେ ରହିଛି ୨ଟି ସାଗର । ମହାରାଜ କୃଷଚନ୍ଦ୍ର ଗଜପତିଙ୍କ ସମୟରେ ୧୦ ଫୁଟ ଓସାରର ରାମସାଗର ଓ ସୀତାସାଗର ଖନନ ହୋଇଛି । ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହା ପୋତି ହୋଇଗଲାଣି । ଏହାର ପୁନଃରୁଦ୍ଧାର ପାଇଁ ବାରମ୍ବାର ଦାବି ହେବା ପରେ ମଧ୍ୟ ଗୁରୁତ୍ୱ ଦେବା ବଦଳରେ ନୂଆ କେନାଲ ନିର୍ମାଣ ପାଇଁ ଅଂଟା ଭିଡିଛି କ୍ଷୁଦ୍ର ଜଳସେଚନ ବିଭାଗ । ତାହା ପୁଣି ଫୁଟେ ଓସାରର ।

୧- ରାମସାଗରରୁ ପାଣି ନେବା ପାଇଁ ଫୁଟିକିଆ ନାଳ ତିଆରି କରିବ କ୍ଷୁଦ୍ର ଜଳସେଚନ ବିଭାଗ
୨- ୧ ଫୁଟ ଓସାରର ନାଳ ତିଆରି କରିବା ପାଇଁ ଖର୍ଚ୍ଚ ହେବ ୯୦ ଲକ୍ଷ ଟଙ୍କା
୩- ସୀତାସାଗରରୁ ପାଣି ନେବା ପାଇଁ ୬୦ ଲକ୍ଷ ଟଙ୍କାରେ ତିଆରି ହେବ ଆଉ ଏକ ନାଳ
୪- ୧୦ ଫୁଟିଆ ନାଳକୁ ପୋତି ପ୍ରାୟ ଦେଢ କୋଟି ଟଙ୍କାରେ ତିଆରି ହେବ ୨ଟି ଫୁଟିକିଆ ନାଳ
ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗର ଏହି ନିଷ୍ପତିକୁ ନେଇ ପ୍ରଶ୍ନ ଉଠିଛି । ନାଳର ମାନକୁ ନେଇ ବି ପ୍ରଶ୍ନ ଉଠିଛି ।

ବିଭାଗ ଗୁଡିକ ସରକାରୀ ଅର୍ଥକୁ ମନଇଛା ଖର୍ଚ୍ଚ କରୁଥିବା ବେଳେ କାମର ମାନ ଯାଂଚ କରୁନାହାନ୍ତି । ଗଜପତି ଜିଲ୍ଲାରେ ଚାଷୀଙ୍କ ଅପେକ୍ଷା ଠିକାଦାରଙ୍କ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲ୍ଲା କୃଷକ ସଂଘ ଅଭିଯୋଗ କରିଛି । ସେପଟେ କୃଷକ ସଂଘର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ।

ରାଜା ରାଜୁଡା ଅମଳରୁ ନିର୍ମାଣ ହୋଇଥିବା କେନାଲର ପୁନଃରୁଦ୍ଧାର କରାଯାଉନାହିଁ କାହିଁକି? ପୁରୁଣା କେନାଲର ପୁନଃରୁଦ୍ଧାର ନକରି ନୂଆ କେନାଲ କରିବାକୁ ଯୋଜନା ହୋଇଛି କାହିଁକି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ବିଭିନ୍ନ ମହଲରେ ପାଇଁ ଦାବି ହୋଇଛି ।