ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନ । ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ?

165

କନକ ବ୍ୟୁରୋ : ଦୁଇ ଦିନ ଧରି ରାଜ୍ୟ ରାଜନୀତିରେ ଯେଉଁ ହଲଚଲ ଚାଲିଥିଲା ତାର ଅନ୍ତ ଘଟିଛି । ନବୀନଙ୍କ ନୂଆ ଟିମ ଶପଥ ଗ୍ରହଣ କରିଛନ୍ତି । ନବୀନଙ୍କ ଏହି ନୂଆ ଟିମରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ୮ ଜଣ ରାଷ୍ଟ୍ର୍ର ମନ୍ତ୍ରୀ ରହିଛନ୍ତି । ପୂର୍ବ ମନ୍ତ୍ରୀମଣ୍ଡଳର ୯ ଜଣଙ୍କୁ ରିପିଟ୍ କରାଯାଇଛି ।

ପ୍ରଥମେ ଜଗନ୍ନାଥ ସାରକା ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କୁ ମିଳିଥିଲା ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗ । ନିରଂଜନ ପୂଜାରୀଙ୍କୁ ଅର୍ଥ ଓ ସଂସଦୀୟ ବ୍ୟାପାର ମିଳିଥିବା ବେଳେ ନବକିଶୋର ଦାସଙ୍କୁ ପୁଣି ଥରେ ମିଳିଛି ସ୍ୱାସ୍ଥ୍ୟ ବିଭାଗ । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିଭାଗ ପରିବର୍ତନ ହୋଇଛି, ତାଙ୍କୁ ମିଳିଛି କୃଷି, ମତ୍ସ୍ୟ ଓ ପଶୁପାଳନ । ପ୍ରମିକା ମଲ୍ଲିକଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ । ଉଷା ଦେବୀ ପାଇଛନ୍ତି ଗୃହନିର୍ମାଣ ଓ ସହରାଂଚଳ ବିକାଶ ବିଭାଗ ।

ସେହିପରି ପ୍ରଫୁଲ୍ଲ ମଲ୍ଲିକଙ୍କୁ ଖଣି ଓ ଇସ୍ପାତ ସହ ମିଳିଛି ପୂର୍ତ ବିଭାଗ । ପ୍ରତାପ ଦେବଙ୍କୁ ଶିଳ୍ପ ଓ ଶକ୍ତି ବିଭାଗ ମିଳିଥିବା ବେଳେ ଅତନୁ ସବ୍ୟସାଚୀଙ୍କୁ ମିଳିଛି ଯୋଗାଣ ଓ ସମବାୟ ବିଭାଗ । ପ୍ରଦୀପ ଅମାତଙ୍କୁ ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ପଂଚାୟତିରାଜ, ଜଙ୍ଗଲ ଓ ପରିବେଶ ବିଭାଗ ସହ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ଭାଳିବେ ଅମାତ । ଟୁକୁନି ସାହୁ ସମ୍ଭାଳିବେ ଜଳସଂପଦ, ବାଣିଜ୍ୟ ଓ ପରିବହନ ବିଭାଗ । ସେହିପରି ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଜନା ଓ ସଂରଚନା ଏବଂ ଅଶୋକ ପଣ୍ଡାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କ୍ୟାବିନେଟ୍ ପାହ୍ୟା ମିଳିଛି ।

ଏବେ ନଜର ପକାଇବା ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପଦ । ସମୀର ରଂଜନ ଦାଶଙ୍କୁ ମିଳିଛି ପୂର୍ବଭଳି ଗଣଶିକ୍ଷା ବିଭାଗ । ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା, ଶ୍ରାକାନ୍ତ ସାହୁଙ୍କୁ ଶ୍ରମ ଏବଂ ଅଶ୍ୱିନୀ ପାତ୍ର ସମ୍ଭାଳିବେ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ଭଳି ବିଭାଗ । ପ୍ରୀତିରଂଜନ ଘଡ଼ାଇଙ୍କୁ ଗ୍ରାମୀଣ ବିକାଶ ଓ ଦକ୍ଷତା ବିକାଶ, ତୁଷାରକାନ୍ତି ବେହେରା କ୍ରୀଡ଼ା, ଯୁବବ୍ୟାପାର ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ବାସନ୍ତୀ ହେମ୍ବ୍ରମଙ୍କୁ ମିଳିଛି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି । ରୀତା ସାହୁ ନବୀନଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି, ତାଙ୍କୁ ମିଳିଛି ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ ।