ସହଜ ହେବ ଚକଜମି ବିକ୍ରି । ସ୍ୱଚ୍ଛ ଓ ପ୍ରତିବନ୍ଧକ ମୁକ୍ତ ହେବ ଚକ ଜମିର ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ ପ୍ରକ୍ରିୟା ।

787

କନକ ବ୍ୟୁରୋ: ଏଣିକି ଚକ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା ସ୍ୱଚ୍ଛ ଓ ପ୍ରତିବନ୍ଧକ ମୁକ୍ତ ହେବ । ରାଜ୍ୟ ସରକାର ଏହି ବଡ ନିଷ୍ପତି ନେଇଛନ୍ତି । ଓଡିଶାର ପ୍ରାୟ ୮ ହଜାର ଗାଁର ଲକ୍ଷାଧିକ ଲୋକ ଉପକୃତ ହେବେ । ପୂର୍ବରୁ ଚକବନ୍ଦୀ ନିୟମ ଉଲ୍ଲଙ୍ଘନ କରି ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ କରାଯାଇଥିବା ଜମି ଏବେ ବୈଧ ଭାବେ ଗଣନା ହେବ ।

ପୂର୍ବରୁ ଓଡିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ ଚକଜମିର ଖଣ୍ଡବିଖଣ୍ଡନକୁ ରୋକୁଥିଲା ଓ ଏହି ଆଇନ ଉଲ୍ଲଙ୍ଘନ କରି କରାଯାଇଥିବା ଯେକୌଣସି ଜମିର ହସ୍ତାନ୍ତରୀକରଣ କିମ୍ବା ବଂଟନ ବେଆଇନ ଥିଲା । ଏହା ଲୋକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା ଓ ସେମାନେ ଆବଶ୍ୟକତା ସମୟରେ ନିଜ ଜମିର ବିକ୍ରିୟ, ହସ୍ତାନ୍ତର ଓ ବଂଟନ କରିବାରୁ ବଂଚିତ ହେଉଥିଲେ । ସମସ୍ୟା ନେଇ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ୱ ଟାସ୍କଫୋର୍ସରେ ଆଲୋଚନା କରାଯାଇଥିଲା ଓ ଅଧିନିୟମକୁ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହା ବିଧାନସଭାରେ ପାରିତ ହୋଇ ଆଇନ ବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।