କାମାକ୍ଷାନଗର ଆଳତୁମା ଗାଁ ଶ୍ମଶାନରେ ତନ୍ତ୍ର ସାଧନା ଅଭିଯୋଗ । ୬ ମାସ ତଳର ବୃଦ୍ଧାଙ୍କ ଶବ କାଢି ଖପୁରୀରେ ପୂଜାପାଠ ଅଭିଯୋଗ ।

166

କନକ ବ୍ୟୁରୋ: ୬ ମାସ ତଳେ ମୃତ୍ୟୁ ହୋଇଥିବା ବୃଦ୍ଧା ମହିଳାଙ୍କ ଗାତରେ ପୋତା ଯାଇଥିବା ମୁଣ୍ଡ ବାହାର କରାଯାଇ କେହି କରିଛି ପୂଜାର୍ଚ୍ଚନା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ ଓ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ ।

ଗତ ଜୁନ ମାସ ୧୫ ତାରିଖରେ ଦ୍ରୌପଦୀ ନାଥଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କୁ ରାମିଆଳ ନଦୀକୂଳରେ ଥିବା ତାଙ୍କ ଜମିରେ ଯଥା ରୀତିନୀତିରେ ଗାତଖୋଳି ପୋତାଯାଇଥିଲା । ହେଲେ ଗାତ ଖୋଳି ବୃଦ୍ଧାଙ୍କ ମୁଣ୍ଡଟି ବାହାର କରି ଧୂପ , ସିନ୍ଦୁର, ନୂଆ ଗାମୁଛା ଓ ଅରୁଆ ଚାଉଳ ଦେଇ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ପାଇଥିଲେ । କିଏ ଏବଂ କାହିଁକି ୬ ମାସ ତଳୁ ମୃତ ବୃଦ୍ଧାଙ୍କ ମୁଣ୍ଡ ବାହାର କରି ପୂଜାର୍ଚନା କରିଛି ତାହା ଜଣାପଡିନାହିଁ । କିନ୍ତୁ କେହି ତନ୍ତ୍ର ସାଧନା ଯୋଗୁ ଏପରି କରାଯାଇଥିବା ଅନୁମାନ କରାଯାଉଛି । ଏହା ଉପରେ ପୋଲିସ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ପରିବାର ଓ ଗ୍ରାମବାସୀ ।