ମହଙ୍ଗା ପଡ଼ିଲା ଚିକେନ୍ ପକୋଡ଼ା ଖାଇବା। ଖାଦ୍ୟନଳୀର ଅଧାରେ ଅଟକିଗଲା କଣ୍ଟା।

1,839

କନକ ବ୍ୟୁରୋ: ଚିକେନ ପକୋଡା ଖାଇ ଗୁରୁତର ହେଲେ ଚଣ୍ଡିଖୋଲର ପବିତ୍ର ସାମଲ । ନିକଟରେ ପରିବାର ସହ ଭୁବନେଶ୍ୱର ଆସିଥିଲେ ସେ । ବାପୁଜୀ ନଗରରେ ଖାଇଥିଲେ ଚିକେନ ପକୋଡା । କିନ୍ତୁ ହଠାତ ଗିଳିଦେଇଥିଲେ ପକୋଡା ଖଣ୍ଡ ।  ତଣ୍ଟିରେ କଣ୍ଟା ଲାଗିଯିବାରୁ  ଆରମ୍ଭ ହୋଇଯାଇଥିଲା ଅସହ୍ୟ ଯନ୍ତ୍ରଣା । ତଣ୍ଟିର ତଳକୁ ଖସି ଅଧାରେ ଅଟକି ଯାଇଥିଲା କଣ୍ଟା । କ୍ୟାପିଟାଲ ହସ୍ପିଟାଲରୁ କଟକ ଏସସିବି ମେଡିକାଲ ଗଲେ । ଇଏନଟି ବିଭାଗରେ ଦେଖାଇଲେ । କିନ୍ତୁ ସବୁଠି ହେଲେ ନିରାଶ । ଏହି ଭିତରେ ବିତିଯାଇଥିଲା ୬ ଦିନ । କେବଳ ପାଣି ଓ ଜୁସ ହିଁ ପିଉଥିଲେ, କିନ୍ତୁ ସେତିକିରେ ବି ହେଉଥିଲା ପ୍ରବଳ ଯନ୍ତ୍ରଣା ।

ଶେଷରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ ନେଲେ । ଆରମ୍ଭ ହେଲା ଚିକିତ୍ସା । ସିଟି ସ୍କାନ ଓ ପରେ ଏଣ୍ଡୋସ୍କୋପି ବି କରାଗଲା । ସେତେବେଳକୁ ଖାଦ୍ୟ ନଳୀକୁ କଣା କରିସାରିଥାଏ ଚିକେନ କଣ୍ଟା ।  ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା । କିନ୍ତୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ପବିତ୍ରଙ୍କ ଅସ୍ତ୍ରୋପଚାରରେ ଲାଗିପଡିଲେ । ଆଉ ଶେଷରେ ସଫଳ ହେଲା ଅସ୍ତ୍ରୋପଚାର । ସାଧାରଣତଃ ଛୋଟ ପିଲାମାନେ ଏଭଳି କିଛି ଖାଦ୍ୟ ଗିଳିଦେଲେ ସମସ୍ୟା ହୋଇଥାଏ । ଏପରି ହେଲେ ଦେଶୀ ଉପଚାର ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ବିଶେଷଜ୍ଞ ।