ଆଧାର ପାଇଁ ଡେଡଲାଇନ ! ଫେବୃଆରୀ ସୁଦ୍ଧା ଆଧାର-ଫୋନ୍ ନମ୍ବର ଲିଙ୍କ ନକଲେ କଟିଯିବ ନମ୍ବର

80

କନକ ବ୍ୟୁରୋ : ଆଧାର ପାଇଁ ଡେଡଲାଇନ୍ । ଫେବୃଆରୀ ସୁଦ୍ଧା ଆଧାର-ଫୋନ୍ ନମ୍ବର ଲିଙ୍କ ନକଲେ କଟିଯିବ ନମ୍ବର । ଆଧାର-ଫୋନ ଲିଙ୍କକୁ ବାଧ୍ୟତାମୂଳକ ମୂଳକ କହିଛନ୍ତି କେନ୍ଦ୍ର ସରକାର । ଯଦି ଆପଣ ଫୋନ ନମ୍ବର ସହ ଆଧାର ଲିଙ୍କ ନକରିବେ ତେବେ ଆପଣଙ୍କ ଫୋନ ନମ୍ବର ନମ୍ବର କଟିଯିବ । ଆଧାର ନମ୍ବର ସହିତ ସଂଯୋଗ ହୋଇନଥିବା ମୋବାଇଲ୍ ସିମ୍ ଆସନ୍ତା ବର୍ଷ ଫେବୃଆରୀ ପରେ ଅକାମୀ ହୋଇଯିବ । ଏଣୁ ଫେବୃଆରୀ ସୁଦ୍ଧା ନିଜ ଫୋନ୍ ନମ୍ବର ସହ ଆଧାର ସଂଯୋଗ କରିବାକୁ କୁହାଯାଇଛି । ଏହାକୁ ବାଧ୍ୟତାମୂଳକ କରିବାକୁ ଚଳିତ ବର୍ଷ ଫେବୃଆରୀରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାୟ ପ୍ରକାଶ ପାଇବାର ବର୍ଷକ ମଧ୍ୟରେ ସିମକାର୍ଡକୁ ଆଧାର ନମ୍ବର ସହିତ ସଂଯୋଗକୁ ଯାଂଚ କରାଯିବ ।

ମାର୍ଚ୍ଚ ମାସରେ ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ଟେଲିକମ୍ କଂପାନୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିଲା କି, ସେମାନେ ନିଜର ଗ୍ରାହକମାନଙ୍କୁ ଆଧାର କାର୍ଡ ମାଧ୍ୟମରେ ପୁଣି ଥରେ ଯାଂଚ କରନ୍ତୁ । ତେବେ ଏନେଇ ଏୟାରଟେଲ୍ ଏବଂ ଆଇଡିଆ ଭଳି କଂପାନୀମାନେ ନିଜ ଗ୍ରାହକମାନଙ୍କ ନିକଟକୁ ବାରମ୍ବାର ମେସେଜ୍ ପଠାଉଛନ୍ତି । ତେବେ ଏହା ବ୍ୟତୀତ ଟେଲିକମ୍ ଅପରେଟର୍ସଙ୍କୁ ମଧ୍ୟ ଏନେଇ ନୋଟିସ୍ ଜାରି କରାଯାଥିଲା  । ଯେଉଁଥିରେ କୁହାଯାଇଥିଲା , ‘ସାରା ଦେଶର ଜନତା ବ୍ୟବହାର କରୁଥିବା ମୋବାଇଲ୍ ନମ୍ବରକୁ ଦ୍ୱିତୀୟ ଥର ପାଇଁ ଇ-କେୱାଇସି ପ୍ରକ୍ରିୟା ଜରିଆରେ ଯାଂଚ କରାଯାଉ । ଖାଲି ସେତିକି ନୁହେଁ ଯେଉଁ ନମ୍ବର ଗୁଡିକ ଯାଂଚ ହୋଇ ନଥିବ କିମ୍ବା ସେଗୁଡିକୁ ଆଧାର ସହ ଲିଙ୍କ୍ କରାଯାଇନଥିବ ସେହି ନମ୍ବରଗୁଡିକୁ ପରେ ବନ୍ଦ କରି ଦିଆଯିବ ବୋଲି ଉକ୍ତ ନୋଟିସରେ ସତର୍କ କରାଯାଇଥିଲା ।

ନିଜ ମୋବାଇଲ୍ ନମ୍ବରକୁ ଆଧାର କିଭଳି ସଂଯୋଗ କରିବେ –

ଆପଣଙ୍କ ନିକଟକୁ ମେସେଜ୍ ଆସିବା କ୍ଷଣି ଆପଣ ବ୍ୟବହାର କରୁଥିବା ସିମର ଷ୍ଟୋରକୁ ଯାଇ ନିଜର ଆଧାର କାର୍ଡ ସହିତ ମେସେଜରେ ଦର୍ଶାଯାଇଥିବା ତଥ୍ୟକୁ ପୈଠ କରନ୍ତୁ । ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ ଭେରିଫିକେସନ୍ କୋଡ୍ ଆସିଥାଏ । ଯାହାକୁ ଆପଣଙ୍କୁ କନଫର୍ମ କରିବାକୁ ପଡିବ । ଏଥିସହିତ ନିଜର ଫିଙ୍ଗର ପ୍ରିଂଟ୍ ଭେରିଫିକେସନ୍ ମଧ୍ୟ କରିବାକୁ ପଡିବ । ତେବେ ଏପରି କରିବାର ମାତ୍ର ୨୪ ଘଂଟା ଭିତରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ ମେସେଜ୍ ଚାଲି ଆସିଥାଏ ଯାହାଦ୍ୱାରା ଆପଣଙ୍କ ନମ୍ବରଟି ଆଧାର ସହିତ ସଂଯୋଗ ହୋଇଥାଏ ।