ପରିଣତ ବଷୟରେ କ୍ଷେତରେ ଫଳାଇଛନ୍ତି ସୁନା ଫସଲ: ଚାକିରି ଆଶାରେ ସମୟ ନଷ୍ଟ କରୁଥିବା ଯୁବପିଢିଙ୍କ ପାଇଁ ପାଲଟିଛି ଉଦାହରଣ

140

କନକ ବ୍ୟୁରୋ: ଚିଲିକା ମାଟିରେସଫଳ ପରିବା ଚାଷ । ସଫଳତାର ସୋପାନରେ ପହଁଚିବାକୁ ହେଲେ ଜୀବନର ଚଲାପଥରେ ଅନେକ କାର୍ଯ୍ୟ ଆପଣେଇବାକୁ ପଡିଥାଏ । ଏବଂ ଅନେକ ଘାତ ପ୍ରତିଘାତ ମଧ୍ୟ ସାମ୍ନା କରିବାକୁ ପଡିଥାଏ । କିଛି ନୂଆ କରିବାର ଇଛା ଥିଲେ ସଫଳତା ନିଶ୍ଚିତ ମିଳିଥାଏ । ଆମେ କହୁଛୁ ଦୀର୍ଘ ୨ବର୍ଷ ଧରି ଦୁଇ ଏକର ଜମିକୁ ଲିଜରେ ନେଇ ବିଭିନ୍ନ ପ୍ରକାର ପରିବା ଚାଷ କରି ସଫଳ ହୋଇଥିବା କୃଷ୍ଣପ୍ରସାଦ ବ୍ଲକ ଓରାଗାଁର ଚାଷୀ ଭ୍ରମର ତରେଇଙ୍କ କଥା ।

କୃଷ୍ଣପ୍ରସାଦ ବ୍ଲକ ଓରାଗାଁର ଭ୍ରମର ତରେଇ । ବୟସ ପାଖାପାଖି ୬୦ ଉପରେ । ହେଲେ ତାଙ୍କ ଅକ୍ଳାନ୍ତ ପରିଶ୍ରମରେ ବିଲରେ ଫଳିଛି ସୁନାର ଫସଲ । ପରିଣତ ବୟସରେ ତାଙ୍କର ଏଭଳି ପରିଶ୍ରମ ଓ ସଫଳତା ବେକାର ବୁଲୁଥିବା ଯୁବପିଢିଙ୍କ ପାଇଁ ପାଲଟିଛି ଉଦାହରଣ । ଜୈବୀକ ପଦ୍ଧତିରେ ୩ ଏକର ଜମିରେ ଭଳିକି ଭଳି ପନିପରିବା ଚାଷ କରିଛନ୍ତି ଭ୍ରମର । ବାଇଗଣ, ଜହ୍ନି, କାକୁଡ଼ି, ଭେଣ୍ଡି, କଖାରୁ, ଲଙ୍କା, ତରଭୁଜ ଭଳି ଚାଷ ହୋଇଛି । ଖରା ଦିନ ଆରମ୍ଭ ହୋଇଯାଇଥିବା ବେଳେ ମାର୍କେଟରେ ତରଭୁଜର ଚାହିଦା ବଢୁଛି । ରୁତୁକାଳୀନ ଫସଲ ଭାବେ ଏହି ଚାଷ କରି ଭଲ ରୋଜଗାରର ଆଶା ରଖିଛନ୍ତି ଭ୍ରମର । ଏହି ଚାଷ ପାଇଁ ତାଙ୍କୁ ମାତ୍ର ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ଦିନକୁ ମାତ୍ର ଦୁଇରୁ ୩ ଘଂଟା ସମୟ ଦେଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।

ରାଜ୍ୟ ବାହାରକୁ ନଯାଇ ନିଜ ଗାଁରେ ରହି କିଭଳି ନିଜେ ସ୍ୱାବଲମ୍ବୀ ହେବେ । ନିଜ ପରିବାର ଚଳାଇବେ । ପିଲାମାନଙ୍କୁ କିଭଳି ପାଠ ପଢ଼ାଇବେ । କିଛି ଏଭଳି ଚିନ୍ତା କରି ଚାଷ କାମ ଆରମ୍ଭ କରିଥିଲେ ଭ୍ରମର । କଠିନ ପରିଶ୍ରମ କରି ୨ ବର୍ଷ ଭିତରେ ବେଶ ସଫଳତା ପାଇଛନ୍ତି । ପନିପରିବା ସବୁ ସ୍ଥାନୀୟ ବ୍ୟବସାୟୀ ମାନେ କିଣି ନେଉଛନ୍ତି । ଜୈବୀକ ପ୍ରଣାଳିରେ ଚାଷ ହେଉଥିବାରୁ ପରିବା ନେବା ପାଇଁ ତାଙ୍କ ଜମି ନିକଟକୁ ଆସି କିଣି ନେଉଛନ୍ତି ।

ଚାଷ ପାଇଁ ୨ ଏକର ଜମି ଲିଜରେ ନେଇଛନ୍ତି ଭ୍ରମର । ତାଙ୍କ ଜମିରେ ଏବେ ପ୍ରଚୁର ପରିମାଣର ତରଭୁଜ ଫଳିଛି । ବ୍ୟବସାୟୀ ମାନେ ଏହାକୁ କିଣିବା ପାଇଁ ଆଗୁଆ ଅର୍ଡର ଦେଲେଣି । ଜମିରେ କାମ କରିବା ପାଇଁ ଦିନ ରାତି ଏକ କରି ଦିଅନ୍ତି ଭ୍ରମର । ପାଣି ମଡ଼ାଇବା ସହ ମାଟି କୋଡ଼ା ଖୋସା କରିବା ଏବଂ ପରିବା ତୋଳିବା ଭଳି ସବୁ କାମ ସେ ନିଜେ କରନ୍ତି । ଏହି ଚାଷ କାମ ତାଙ୍କୁ ବେଶ ଖୁସି ଦେଉଥିବା କହିଛନ୍ତି ଭ୍ରମର ।