ପ୍ରବାସୀ ଶ୍ରମିକରୁ ସଫଳ ଚାଷୀ: ଜଣେ ଗରିବ ଚାଷୀଙ୍କ ସଂଘର୍ଷର କାହାଣୀ

94

କନକ ବ୍ୟୁରୋ: ପ୍ରବାସୀ ଶ୍ରମିକ ରୁ ସଫଳ ଚାଷୀ ପାଲଟିଲେ । ଦିନଥିଲା ବାହାର ରାଜ୍ୟ କୁ ଦାଦନ ଖଟିବା କୁ ଯାଉଥିଲେ ଆଉ ସ୍ତ୍ରୀ ପର ଘରେ ମଜୁରି କାମ କରୁଥିଲେ । ହେଲେ କିଛି କରିବାର ପ୍ରାୟସ ଆଜି ତାଙ୍କୁ ଜଣେ ସଫଳ ଚାଷୀ କରି ଗଢିତୋଳିଛି । ଦିନଥିଲା ଅନ୍ୟ ପାଖରେ କାମ କରୁଥିବା ଅନନ୍ତ ଏବେ ଅନ୍ୟ ଲୋକଙ୍କୁ ନିଜ ପାଖରେ ଚାକିରି ଦେଇ ବାର୍ଷିକ ୮ରୁ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଆମ୍ବ ଗଛରେ ଭର୍ତି ହୋଇଛି ବଉଳ । ତା ସାଙ୍ଗକୁ ୮ଏକର ଜମିରେ ଭଳିକି ଭଳିି ପନିପରିବା ଚାଷ । ଟାମାଟେ ହେଉକି ବାଇଗଣ, ଝୁଡୁଙ୍ଗ ହେଉକି କଦଳୀ, ଗାଜର, ବିଟ୍ ଆଉ ମାଛ ଚାଷ । ଜୁଆଡେ ଚାହିଁବେ ସୁନାର ଫସଲ । ଚାଷୀର ଝାଳବୁହା ପରିଶ୍ରମରେ ହସୁଛି କ୍ଷେତ । ହେଲେ ଏସବୁ ଭିତରେ କିନ୍ତୁ ରହିଛି ସଂଘର୍ଷ ଭରା କାହାଣୀ । ଭୋକିଲା ପେଟର ବିକଳ ଭୋକ ବି ଦିନେ ଲୋକଙ୍କୁ କିଭଳି ନିଜ ଗୋଡରେ ଛିଡା ହୋଇ ସ୍ୱାବଲମ୍ବୀ ହେବାକୁ ବାଧ୍ୟ କରେ ତାହାର ଉଦାହରଣ ଭରି ରହିଛି । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ତୁରୁଙ୍ଗାଗଡ ଗାଁର ଅନନ୍ତ ମାଝୀ । ସ୍ତ୍ରୀ ଓ ତିନି ଝିଅଙ୍କୁ ନେଇ ତାଙ୍କ ପରିବାର । ଦିନ ଥିଲା ୫ ପ୍ରାଣୀଙ୍କ ପେଟର ଭୋକ ପାଇଁ ଅନନ୍ତଙ୍କୁ ବାହାର ରାଜ୍ୟ ଛତିଶଗଡ ଓ ସୁରଟକୁୁ ଦାଦନ ଖଟିବାକୁ ଯିବାକୁ ପଡ଼ୁଥିଲା । ସେଥିରୁ ମିଳୁଥିବା ଟଙ୍କାରେ ପରିବାର ଚଳାଇବା ସମ୍ଭବ ହେଉନଥିବାରୁ ଅନନ୍ତଙ୍କ ସ୍ତ୍ରୀ ତୁଳସୀ ଅନ୍ୟ ଘରେ ମଜୁରି କରୁଥିଲେ । ହେଲେ ତଥାପି ଛୁଆପିଲାଙ୍କ ପାଇଁ କିଛି ଗୋଟିଏ କରିବା ପାଇଁ ଅନ୍ୟ ପାଖରେ ହାତ ପତାଇବାକୁ ପଡୁଥିଲା । ଏମିତି କିଛି ଦିନ ଥିଲା ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଥିଲା । କିଛି କରିବାର ନିଶା ଏବେ ତାଙ୍କୁ ସଫଳତା ଦେଇଛି ।

ନିଜର ୧ ଏକର ୬୬ଡିସମିଲ ଜମିରେ ପ୍ରଥମେ ଚାଷ ଆରମ୍ଭ କରିଥିଲେ ଅନନ୍ତ । ପ୍ରଥମେ ଶାଗ ଓ ପନିପରିବା ଜୈବିକ ଉପାୟରେ କରୁଥିଲେ । ବଜାରରେ ତାଙ୍କ ପରିବା ଓ ଶାଗର ଚାହିଦା ବଢ଼ିବାରୁ ସେ ସଂପୂର୍ଣ୍ଣ ଭାବରେ ଚାଷ କାମ କରିବା ପାଇଁ ଆଗକୁ ବଢ଼ିଥିଲେ । ଗାଁର କିଛି ଲୋକଙ୍କ ଠାରୁ ଆହୁରି ୬ଏକର ଜମି ଭାଗରେ ନେଇ ମୋଟ ୮ ଏକର ଜମିରେ ୩୫୦ ଆମ୍ବଗଛ ଲଗାଇବା ସହ କଦଳୀ, ମାଛ, ଟମାଟୋ, ବାଇଗଣ, ଗାଜର, ବିଟ୍ ଚାଷ ଆରମ୍ଭ କରିଥିଲେ । ଆଉ ଏବେ ସେ ବାର୍ଷିକ ଏହି ସମସ୍ତ ଚାଷରୁ ୮ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି । ଏହି କାମରେ ଅନନ୍ତ ମଧ୍ୟ ୫ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ।

ଚାଷ ଆରମ୍ଭ କରିବା ପରେ ଅନନ୍ତଙ୍କ ପାଖକୁ ପହଚିଂଛି ଅନେକ ସରକାରୀ ସହାୟତା । ସ୍ୱେଚ୍ଛାସେବୀ ସଙ୍ଗଠନ ସେବକ ଜରିଆରେ ଆଦିବାସୀ ଉନ୍ନୟନ ସଂସ୍ଥା, ବନ ବିଭାଗର ଓଏଫଡିସି -୨ ତରଫରୁ ତାଙ୍କୁ ବୈଷୟିକ ଜ୍ଞାନ କୌଶଳ ସହିତ, ଅନେକ ସହାୟତା ଓ ତାଲିମ ମିଳିପାରିଛି । ଏହା ସହ ତାଙ୍କୁ ବଜାର ସହିତ ସଂଯୋଗୀକରଣ କରାଯାଇଛି । ସଂଘର୍ଷରୁ ସଫଳତା ପାଇଥିବା ଅନନ୍ତ ମାଝୀ କାହାଣୀ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।