ମିଶନ ଶକ୍ତି କାଫେ ଦେଖାଇବ ରୋଜଗାରର ବାଟ: ବାମ୍ବୋ କଟେଜରେ ବସି ଖାଇବାର ମଜା ନେଇ ସ୍ଥାନୀୟ ବାସିନ୍ଦା 

210

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ବଡଚଣା ଖୋଲିଲା ରେ ଅତ୍ୟାଧୁନିକ ଭୋଜନାଳୟ । ମିଶନ ଶକ୍ତି କାଫେ ଦେଖାଇବ ରୋଜଗାରର ବାଟ ।  ମହିଳା ହେବେ ସ୍ୱାବଲମ୍ବୀ । ପ୍ରାଥମିକ ପର୍ଯ୍ୟାୟରେ ଦଶ ଜଣ ମହିଳା ସିଧାସଳଖ ପାଇବେ ଆତ୍ମନିଯକ୍ତି । ଉତ୍ପାଦିତ ସାମଗ୍ରୀ ଯୋଗାଇ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ହେବେ ଉପକୃତ । ମିଶନ ଶକ୍ତି କାଫେ ରେ ଖାଇବାକୁ ମିଳିବ ମା ମାନଙ୍କ ହାତରନ୍ଧା ସୁସ୍ୱାଦୁ ଭୋଜନ ।

ସୁନ୍ଦର ପ୍ରାକୃତିକ ପରିବେଶରେ ଖୋଲା ଯାଇଛି କାଫେ । କୌଣସି ଦାମୀ ରେସ୍ତୋରାଁ ଠାରୁ କମ୍ ସାଜସଜା ହୋଇନାହିଁ । ଗ୍ରାହକଙ୍କ ମନମୋହିଲା ଭଳି ବାଉଁଶରେ ଦୁଇଟି ସୁନ୍ଦର ବାମ୍ବୋ କଟେଜ କରାଯାଇଛି । କାଫେକୁ ଖାଇବାକୁ ଆସୁଥିବା ଗ୍ରାହକ ଏହି କଟେଜରେ ବିସି ମା ମାନଙ୍କ ହାତରନ୍ଧା ଖାଇବାର ମଜା ନେଇ ପାରିବେ । ପାଖାପାଖି ତିରିଶ ଲକ୍ଷ ଟଙ୍କା ବ୍ୟୟରେ ଯାଜପୁର ବଡଚଣା ଠାରେ ଖୋଲାଯାଇଛି ମିଶନ ଶକ୍ତି କାଫେ । ଭୋଜନାଳୟ ଭିତରେ ଗ୍ରାହକଙ୍କୁ ଆରାମ ଦାୟକ ସେବା ଯୋଗାଇବା ଲକ୍ଷ୍ୟ ନେଇ ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଶୀତତାପ ନିୟନ୍ତ୍ରୀତ ବ୍ୟବସ୍ଥା ମଧ୍ୟ କରାଯାଇଛି । ସୁନ୍ଦର ପାକଶାଳା ସାଙ୍ଗକୁ ପାନୀୟ ଜଳର ବ୍ୟବସ୍ଥା ହୋଇଛି । ମିଶନ ଶକ୍ତିର ମହିଳାମାନେ ଏକାଠି ହୋଇ ସେମାନଙ୍କ ହାତ ତିଆରି ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରିବାର ଯୋଜନା ରହିଛି । ଯାହାକି ମହିଳାମାନଙ୍କୁ ରୋଜଗାରକ୍ଷମ କରିବାରେ ସହାୟକ ହେବ ।

ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ମହିଳା ଚଳାଇବେ ଏହି କାଫେ । ଏଠାରେ ସକାଳେ ଓ ସନ୍ଧ୍ୟାରେ ସୁସ୍ୱାଦୁ ଜଳଖିଆ ସହିତ ମଧ୍ୟାହ୍ନରେ ଭାତ, ଡାଲି, ତରକାରୀ ସହ ଅନ୍ୟାନ୍ୟ ସୁସ୍ୱାଦୁ ଭୋଜନ ଗ୍ରାହକଙ୍କ ପାଇଁ ସୁଲଭ ଦରରେ ଉପଲବ୍ଧ ହେବ । ଗାଁ ଗହଳିରେ ଛୋଟ ଛୋଟ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଯଥା – ଛତୁ, ବଡି, ପାମ୍ପଡ, ଆଚାର,ପନିପରିବା ଏହି କାଫେକୁ ଯୋଗାଇ ମହିଳାମାନେ ବେଶ୍ ଦୁଇପଇସା ରୋଜଗାର କରିପାରିବେ ।  ଗାଁ ମହିଳାଙ୍କୁ ରୋଜଗାର ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କାଫେ ବାଟ ଦେଖାଇବ ବୋଲି ଆଶା କରାଯାଉଛି ।