ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଂଟା ସମୟ ଦେଲା ଇସ୍ରାଏଲ: ଉତର ଗାଜାର ୧୧ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ

194

କନକ ବ୍ୟୁରୋ: ହମାସର ଆକ୍ରମଣ ପରେ ପ୍ରତିଶୋଧ ନେଉଛି ଇସ୍ରାଏଲ । ଗାଜାରେ ଥିବା ହମାସ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି ମିସାଇଲ ମାଡ କରୁଛି ଇସ୍ରାଇଲ ସେନା । ଯାହାର ଚିତ୍ର ସାମ୍ନାକୁ ଆସିଛି । ସହର ଭଙ୍ଗା କୋଠା ଘରର ଗନ୍ତାଘର ପାଲଟିଯାଇଛି । ଇସ୍ରାଇଲ ସେନା ଏପର୍ଯ୍ୟନ୍ତ ୬ ହଜାରୁ ଅଧିକ ରକେଟ ମାଡ କରିସାରିଲାଣି । ଏହାରି ଭିତରେ ବିଶେଷକରି ଆତଙ୍କବାଦୀ ଲୁଚିଥିବା ଉତ୍ତର ଗାଜାର ଥିବା ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ । ୨୪ ଘଂଟା ମଧ୍ୟରେ ଘର ଛାଡିବାକୁ ଇସ୍ରାଏଲ ନିର୍ଦ୍ଦେଶ ଦେଇଥିବା ନେଇ ଜାତିସଂଘ ପକ୍ଷରୁ ଶୁକ୍ରବାର କୁହାଯାଇଛି । କିନ୍ତୁ ଏତେ କମ ସମୟ ମଧ୍ୟରେ ଏତେ ଲୋକଙ୍କୁ ବିସ୍ତାପିତ କରିବା ସମ୍ଭବ ନୁହେଁ ବୋଲି ଜାତିସଂଘ ମୁଖପାତ୍ର କହିଛନ୍ତି । ସାଧାରଣ ନାଗରିକ ଗାଜାରୁ ବିସ୍ତାପିତ ହେବା ପରେ ଯୁଦ୍ଧ ଆହୁରୀ ଭୟଙ୍କର ହେବ ବୋଲି କୁହାଯାଉଛି ।

ପାଲେଷ୍ଟାଇନର ଗାଜା ସହରକୁ ମାନଚିତ୍ରରୁ ଲିଭାଇ ଦେବାକୁ ଯୋଜନା ପ୍ରସ୍ତୁତ କରିଛି ଇସ୍ରାଏଲ । ଏବେ ବନ୍ଧକ ଥିବା ଇସ୍ରାଏଲ ନାଗରିକ ଏବଂ ଯବାନଙ୍କୁ ଉଦ୍ଧାର କରୁଛି ଇସ୍ରାଏଲ ସେନା । ହମାସ କବଜାରେ ଥିବା ୫୦ରୁ ଅଧିକ ପଣପନ୍ଦୀଙ୍କୁ ଉଦ୍ଧାର କରିଛନ୍ତି ଇସ୍ରାଇଲ ଯବାନ । କିପରି ସାହସିକତାର ସହ ଆକ୍ରମଣ କରି ପଣବନ୍ଦୀଙ୍କୁ ଇସ୍ରାଏଲ ସେନା ଉଦ୍ଧାର କରିଛି ତାହା ଭିଡିଓ ସାମ୍ନାକୁ ଆସିଛି । ଯୁଦ୍ଧରେ ମୋଟ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଇସ୍ରାଏଲରେ ୧୨୦୦, ପାଲେଷ୍ଟାଇନରେ ୧୪୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲରେ ପଶିଥିବା ୧୫୦୦ ହମାସ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମଳିଛି । ଏଥର ଗାଜାର ଜମିକୁ ପୁରା ଅକ୍ତିଆର କରିନେବାକୁ ଯୋଜନା କରିଛି ଇସ୍ରାଏଲ । ଇସ୍ରାଏଲରେ ପ୍ରାୟ ୪ ଲକ୍ଷରୁ ଅଧିନ ସେନା ଟ୍ୟାଙ୍କର, ଅସ୍ତ୍ରଶସ୍ତ୍ର ସହ ଗାଜା ବର୍ଡର ପାଖରେ ଅପେଖ୍ୟ କରି ରହିଛନ୍ତି । ନିର୍ଦ୍ଦେଶ ମିଳିବା ମାତ୍ରେ ଗାଜା ସୀମା ଭିତରେ ପଶିବେ ।

ଯୁଦ୍ଧକୁ ସାତ ଦିନ ପୁରିଥିବା ବେଳେ ପାଲେଷ୍ଟାଇନ ଏବଂ ଇସ୍ରାଏଲକୁ ଅନ୍ୟ ଦେଶଙ୍କ ସମର୍ଥନ ଜଣାଇଛନ୍ତି । ଆମେରିକା, ଜର୍ମାନୀ ଭଳି ପାଶ୍ଚାତ୍ୟ ଦେଶ ଇସ୍ରାଏଲକୁ ସମର୍ଥନ ଜଣାଇଥିବା ବେଳେ ମଧ୍ୟ ଏସିୟର ଶକ୍ତିଶାଳୀ ଦେଶ ଇରାନ ପାଲେଷ୍ଟାଇନକୁ ସମର୍ଥନ ଜଣାଇଛି । ଏଥିସହ ମୁସଲିମ ଦେଶଗୁଡିକୁ ପାଲେଷ୍ଟାଇନ ସହ ଠିଆ ହେବାକୁ ଇରାନ ରାଷ୍ଟ୍ରପତି ଅନୁରୋଧ କରିଛନ୍ତି । ଯଦି ଅନ୍ୟ ଦେଶ ଏଥିରେ ଜଡିତ ହୁଅନ୍ତି ସ୍ଥତି ଆହୁରି ଗମ୍ଭୀର ହେବ ବୋଲି ଆଶାଙ୍କା କରାଯାଉଛି ।