ପଶ୍ଚିମବଙ୍ଗ ପରେ ବିହାରରେ ହିଂସା । ନିଆଁ ଲଗାଇଲେ, ଭଙ୍ଗାରୁଜା କଲେ ଉପଦ୍ରବୀ

151

କନକ ବ୍ୟୁରୋ : ହିଂସାରେ ଜଳିଉଠିଲା ବିହାର । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲା ସାମ୍ପ୍ରଦାୟିକ ହିଂସା । କେଉଁଠି ଉପଦ୍ରବୀ ଗାଡି ଜାଳିଲେ ତ ପୁଣି କେଉଁଠି ନିଆଁ ଲଗାଇଲେ । କେବଳ ସେତିକି ନୁହେଁ ରାସ୍ତାରେ ଯାଉଥିବା ନୀରିହ ଲୋକଙ୍କ ମାଡ ମାରିବା ସହ ଦୋକାନରେ ପଶି ଲୁଟପାଟ କଲେ । କିଛି ସ୍ଥାନରେ ବସରେ ମଧ୍ୟ ନିଆଁ ଲଗାଇଛନ୍ତି ଉପଦ୍ରବୀ । ରାମନବମୀ ଶୋଭାଯାତ୍ରାରୁ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଜଳିଉଠିଛି ବିହାରର ନାଳନ୍ଦା, ସାସାରାମ ସହ ଅନେକ ଜିଲ୍ଲା ।

ରାମନବମୀ ଶୋଭାଯାତ୍ରାରେ ଦୁଇଗୋଷ୍ଠୀ ମୁହାଁମୁହିଁ ଘଟଣା କ୍ରମଶ ଉଗ୍ର ରୂପ ନେଉଛି । ସ୍ଥିତିକୁ ଦୃଷ୍ଟି ରଖି ସମ୍ବେଦନଶୀଳ ସ୍ଥାନେ ଲାଗୁ କରାଯାଇଛି ୧୪୪ ଧାରା । କଡ଼ା ପୁଲିସ ଛାଉଣୀ ବିହାରର ବିଭିନ୍ନ ଜିଲ୍ଲା ଗୁଡିକୁ ଜଗି ରହିଛି । ସ୍ଥାନୀୟ ପ୍ରଶାସନ ଉପରେ ଆକ୍ରୋଶ ଜାରି କରିଛନ୍ତି ଲୋକମାନେ । ସେପଟେ ଘଟଣାକୁ ନେଇ ବିଜେପି ଓ ଜେଡିୟୁ ପରସ୍ପର ଉପରେ ଦୋଷାରାପ କରିଛନ୍ତି । ବିଜେପି କହିଛି ରାଜ୍ୟରେ ଆଇନ ଶୃଖଂଳା ପରିସ୍ଥିତି ସମ୍ଭାଳିବାରେ ବିହାର ସରକାର ବିଫଳ ହୋଇଛନ୍ତି । ସେପଟେ ଜେଡିୟୁ କହିଛି ନିର୍ବାଚନ ପୂର୍ବରୁ ଜାଣିଶୁଣି ବିଜେପି ରାଜ୍ୟରେ ହିଂସା ସୃଷ୍ଟି କରୁଛି ।

ସାମ୍ପ୍ରଦାୟିକ ହିଂସାରେ ୩୦ଜଣଙ୍କ ଗିରଫ କରିଛି ପୁଲିସ । ସେପଟେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗ, ଉତରପ୍ରଦେଶ ପରେ ଏବେ ହିଂସାର ନିଆଁରେ ଜଳୁଛି ବିହାର । ସେପଟେ ବିହାରରେ ଆୟୋଜିତ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନସଭା ରଦ୍ଦ କରାଯାଇଛି ।