ମହିଳାଙ୍କ ପାଇଁ କଡା ହେଲା ଡ୍ରେସ୍ କୋର୍ଡ ନିୟମ । ଟାଇଟ୍ ଡ୍ରେସ୍ ପିନ୍ଧିଲେ ହେବ ୧୦ ବର୍ଷ ଜେଲ୍ । ଜାଣନ୍ତୁ, କେଉଁଠି ଲାଗୁ ହେଲା ଏମିତି ନିୟମ……

713

କନକ ବ୍ୟୁରୋ: ଟାଇଟ୍ ଡ୍ରେସ୍ ପିନ୍ଧିଲେ ହେବ ୧୦ ବର୍ଷ ଜେଲ୍ । ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନେବ ସରକାର । ଡ୍ରେସ୍ କୋର୍ଡକୁ ନେଇ ଇରାନରେ ଦେଖାଯାଇଥିବା ବିବାଦ ଭିତରେ ଏବେ ଆସିଛି ପୁଣି ଏମିତି କିଛି ଖବର । ମହିଳା ଏବଂ ପୁରୁଷଙ୍କ ଡ୍ରେସ୍ କୋର୍ଡକୁ ନେଇ ଏବେ ଇରାନରେ ଶକ୍ତ ହେବାକୁ ଯାଉଛି ନିୟମ ।

ମିଳିଥିବା ସୂଚନା ମୁତାବକ, ଇରାନର ସଂସଦ ମହିଳାଙ୍କ ଡ୍ରେସ୍ କୋର୍ଡକୁ ନେଇ ଏକ ବିଲ୍ ଗୃହରେ ପାସ୍ କରିଦେଇଛି । ଯେଉଁଥିରେ ମହିଳାଙ୍କ ଡ୍ରେସ୍ ପିନ୍ଧିବାକୁ ନେଇ କଡା ନିୟମ ରହିଛି । ଏମିତି କି ମହିଳାଟିଏ ଯଦି ଟାଇଟ୍ ଡ୍ରେସ୍ ପିନ୍ଧିବେ, ତେବେ ସେଥିପାଇଁ ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ହେଇପାରେ । ଅନ୍ୟପଟେ ମହିଳାମାନେ ମୁଣ୍ଡରେ ହିଜାବ ପିନ୍ଧିବା ମଧ୍ୟ ବାଧ୍ୟ ବୋଲି ଏହି ବିଲରେ ଉଲ୍ଲେଖ ରହିଛି । ଯଦି କେହି ବି ଏହି ନିୟମ ଭାଙ୍ଗନ୍ତି ତେବେ ତାଙ୍କୁ ନିୟମ ମୁତାବକ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହେଇପାରେ ।

ଇରାନର ସଂସଦ ଏହି ବିଲକୁ ପାସ୍ କରିସାରିଛି । ବର୍ତ୍ତମାନ ଏହାକୁ ଗାର୍ଡିୟନ୍ କାଉନସିଲ ପାଖକୁ ପଠାଯିବ । ଇରାନର ଏହି ଗାର୍ଡିୟାନ କାଉନସିଲ୍ ହେଉଛି, ମୌଲବୀ ଏବଂ ଆଇନ୍ ବିଶାରଦମାନଙ୍କର ଏକ କମିଟି । ଯାହାର ଅନୁମୋଦନ ପରେ ହିଁ ଏହି ବିଲଟି ଆଇନରେ ପରିଣତ ହେବ ।

ଇରାନରେ ଡ୍ରେସ୍ କୋର୍ଡକୁ ନେଇ ଦୀର୍ଘ ଦିନରୁ ବିବାଦ ରହିଛି । ମହିଳାମାନଙ୍କ ପାଇଁ ଏହି ଡ୍ରେସ୍ କୋର୍ଡ ନିୟମକୁ ସେଠାକାର ମହିଳାମାନେ ବିରୋଧ କରୁଛନ୍ତି । ହେଲେ ଏ ସବୁ ଭିତରେ ବି, ସେଠାକାର ସରକାର ମହିଳାଙ୍କୁ ନେଇ ଏପରି ନିୟମ ଆଣିଛନ୍ତି । ତେବେ ଖାଲି ମହିଳା ନୁହେଁ ବରଂ ପୁରୁଷଙ୍କ ପାଇଁ ମଧ୍ୟ ଡ୍ରେସ୍ କୋର୍ଡ ନିୟମ ଲାଗୁ ହେବ ବୋଲି ସୂଚନା ମିଳିଛି ।