ଏବେ ବି ସିଏସକେର ବଡ ନିଷ୍ପତ୍ତି ନେଉଛନ୍ତି ଧୋନୀ । ଲକ୍ଷ୍ନୌଠୁ ମ୍ୟାଚ୍ ହାରିବା ପରେ ଜାଡେଜା କହିଲେ ଏମିତି କଥା…

1,703

କନକ ବ୍ୟୁରୋ: ଆଇପିଏଲ୍ ୨୦୨୨ର ୭ମ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସଠାରୁ ଶୋଚନୀୟ ପରାଜୟ ବରଣ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଚଳିତ ଆଇପିଏଲରେ ସିଏସକେର ଏହା ଲଗାତାର ଦ୍ୱିତୀୟ ପରାଜୟ । ତେବେ ଗୋଟିଏ ଚାମ୍ପିୟନ୍ ଦଳ ହୋଇଥିଲେ ବି ସିଏସକେର ଏମିତି ପ୍ରଦର୍ଶନ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ବଢିଛି । ବିଶେଷକରି କିଛି ବ୍ୟକ୍ତି ଦଳର ଅଧିନାୟକ ରବୀନ୍ଦ୍ର ଜାଡେଜାଙ୍କୁ ଟ୍ରୋଲ୍ କରୁଥିବାବେଳେ, ଆଉ କିଛି ପୂର୍ବ ଅଧିନାୟକ ଏମ୍ ଏସ୍ ଧୋନୀଙ୍କ ଉପରେ ବର୍ଷିଛନ୍ତି ।

ଅସଲ କଥା ହେଉଛି, ଗୁରୁବାର ଚେନ୍ନାଇ ସୁପରକିଙ୍ଗସ ତରଫରୁ ୧୯ ତମ ଓଭର ଶିଭମ ଦୁବେ ବୋଲିଂ କରିଥିଲେ । ଯେଉଁ ଓଭରରେ ସେ ମହଙ୍ଗା ସାବ୍ୟସ୍ତ ହେବା ସହିତ ୨୫ ରନ୍ ଦେଇଥିଲା । ଆଉ ଏହି ଓଭର ହିଁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସର ବିଜୟକୁ ପକ୍କା କରିଦେଇଥିଲା । ତେବେ ଶିଭମ ଦୁବେଙ୍କୁ ବୋଲିଂ ଦେବାର ନିଷ୍ପତ୍ତି ଦଳର ଅଧିନାୟକ ଜାଡେଜା ନେବା ବଦଳରେ ଧୋନୀ ନେଇଥିବା ଚର୍ଚ୍ଚା ହେବା ପରେ, ଏବେ ଏହାକୁ ନେଇ ପୂର୍ବତନ କ୍ରିକେଟରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ଅସନ୍ତୋଷ ପ୍ରକାଶ କରିଛନ୍ତି । ଚେନ୍ନାଇର ଅଧିନାୟକ ହୋଇ ମଧ୍ୟ ରବୀନ୍ଦ୍ର ଜାଡେଜା ସେହି ସମୟରେ ବାଉଣ୍ଟ୍ରିଂରେ ଫିଲ୍ଡିଂ କରୁଛନ୍ତି । ଆଉ ଧୋନୀ ହିଁ ସମସ୍ତ ନିଷ୍ପତ୍ତି ନେଉଛନ୍ତି । ଜଣେ କ୍ରିକେଟ୍ ଫ୍ୟାନ୍ ହିସାବରେ ସେ ଏହାକୁ ପସନ୍ଦ କରୁନାହାଁନ୍ତି ବୋଲି ଅଜୟ ଜାଡେଜା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଧୋନୀ ସିଏସକରେ ଅଧିନାୟକ ପଦରୁ ହଟିଯାଇଥିଲେ । ତାଙ୍କ ବଦଳରେ ସେ ରବୀନ୍ଦ୍ର ଜାଡେଜାଙ୍କୁ ଦଳର ଅଧିନାୟକ ବାଛିଥିଲେ । ତେବେ ଏବେ ବି ଅନେକ ମ୍ୟାଚରେ ଧୋନୀ ହିଁ ପରୋକ୍ଷରେ ଦଳର ମଙ୍ଗ ଧରିଥିବା ଭଳି ମନେ ହେଉଛି । ସେ ଦଳର ଅନେକ ବଡ ବଡ ନିଷ୍ପତ୍ତି ନିଜେ ନେଉଥିବା ଦେଖିବାକୁ ମିଳୁଛି । ଯାହାକୁ କିଛି କ୍ରିକେଟର ପସନ୍ଦ ନକରିବା ସହିତ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।