ଫସଫରସ ବମ । ଶୋଷି ନେଇଯାଏ ଅମ୍ଲଜାନ, ଯେତେବେଳ ଯାଏଁ ଶେଷ ହୋଇନଥାଏ, ସେତେବେଳ ଯାଏଁ ତାଣ୍ଡବ ରଚିଥାଏ ।

213

କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ଏବେ ବି ଜାରି ରହିଛି । ଆଉ ୟୁକ୍ରେନକୁ ଦଖଲ କରିବାକୁ ଋଷ ନିଜ ଆକ୍ରମଣକୁ ଆହୁରି ପ୍ରଚଣ୍ଡ କରିଛି । ଏହିକ୍ରମରେ ୟୁକ୍ରେନର ୩ ସହରରେ ଫସଫରସ ବୋମା ପକାଇଛି ଋଷ । ଯାହାଦ୍ୱାରା ୟୁକ୍ରେନର ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ପିଲାଙ୍କ ଠାରୁ ବୃଦ୍ଧ କେହି ଏହି ଆକ୍ରମଣରୁ ବର୍ତ୍ତି ପାରିନାହାନ୍ତି । ତେବେ ଏହି ଘାତକ ଫସଫରସ ବୋମା ବାବଦରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଫସଫରସ ବୋମାରୁ ରସୁଣର ଗନ୍ଧ ଆସିଥାଏ । କିନ୍ତୁ ଏହା ସମ୍ପୂର୍ଣ୍ଣ ରଙ୍ଗହୀନ । ଏହି ବୋମା ଅଧିକ ପ୍ରତିକ୍ରିୟାଶୀଳ ହୋଇଥାଏ । ଆଉ ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ରଖାଯାଇଥାଏ । କାରଣ ଥରେ ଏହି ଫସଫରସ ବୋମା ଅମ୍ଲଜାନ ସଂସ୍ପର୍ଶରେ ଆସିବା କ୍ଷଣି ଏହା ବିସ୍ଫୋରଣ ହୋଇଥାଏ । ତେଣୁ ଏହାକୁ ପାଣିରେ ବୁଡାଇ ରଖାଯାଇଥାଏ ।

ଫସଫରସ ବୋମା ଫସଫରସ ରସାୟନରେ ତିଆରି ହୋଇଥାଏ । ଆଉ ଥରେ ଏହା ବିସ୍ଫୋରଣ ହେବା ମାତ୍ରେ ଯେତେବେଳ ଯାଏଁ ଫସଫରସ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନଥାଏ ସେତେବେଳ ଯାଏଁ ଏହା ଚତୁର୍ଦ୍ଦିଗକୁ ବ୍ୟାପିବା ସହ ଜଳିଥାଏ । କେବଳ ଜଳିନଥାଏ ବରଂ ଚତୁଃପାଶ୍ୱର୍ରୁ ଅମ୍ଲଜାନ ଶୋଷି ନେଇଥାଏ । ଶୋଷଣ କରିଥିବା ଅମ୍ଲଜାନ ଏହି ବୋମାକୁ ଜଳିବାରେ ଆହୁରି ସହାୟକ ହୋଇଥାଏ ।

ଅମ୍ଲଜାନ ଶୋଷି ନେଉଥିବା କାରଣରୁ ଉଭୟ ମଣିଷ ଓ ପଶୁପକ୍ଷୀ ଜଳିବା ସହ ନିଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଯଦି ଫସଫରସ କଣିକା ଶରୀର ଭିତରକୁ ପ୍ରବେଶ କରେ ତେବେ ଏହା ଶରୀର ଭିତରେ ମଧ୍ୟ ଜଳାପୋଡା ହୋଇଥାଏ । ଏପରିକି ବେଳେବେଳେ ଶରୀରରେ ଫସଫରସ ସଂସ୍ପର୍ଶରେ ଆସିବାରୁ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।

ସାଧାରଣତଃ ଜନବସତି ଅଞ୍ଚଳରେ ଏହି ବୋମା ପକାଇବା ଉପରେ କଟକଣା ରହିଛି । ଯୁଦ୍ଧରେ ପ୍ରତିପକ୍ଷକୁ ଚକମା ଦେବାକୁ ଏହି ବୋମାର ବ୍ୟବହାର ହୋଇଥାଏ । ଫସଫରସ ବୋମାର ବ୍ୟବହାର ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବହୁଳ ମାତ୍ରାରେ ହୋଇଥିଲା । ଏହାଛଡା ପରବର୍ତ୍ତୀ ସମୟରେ ହୋଇଥିବା ବିଭିନ୍ନ ଯୁଦ୍ଧରେ ମଧ୍ୟ ଏହି ବୋମାର ବ୍ୟବହାର ହୋଇଥିଲା ।