ନିରାଶ କଲା ଏଲଆଇସି: ଷ୍ଟକ ବଜାରରେ ସାମିଲ ହେବା ପରେ ପ୍ରଥମ ଦିନରେ ନିବେଶକଙ୍କ କ୍ଷତି

435

କନକ ବ୍ୟୁରୋ: ଦେଶର ସବୁଠାରୁ ବଡ ବୀମା କମ୍ପାନୀ ଭାରତୀୟ ଜୀବନ ବିମା ନିଗମ ଶେଷରେ ସେୟାର ବଜାରରେ ପ୍ରବେଶ କରିଛି । ତେବେ ଷ୍ଟକ ମାର୍କେଟରେ ତାଲିକାଭୁକ୍ତ ହେବା ପରେ ପ୍ରଥମ ଦିନରେ ହିଁ ନିବେଶକଙ୍କୁ ଲାଗିଛି ଝଟକା । ପ୍ରଥମ ଦିନରେ ହିଁ ଏଲଆଇସି ଆଇପିଓର ମୂଲ୍ୟ ହ୍ରାସ ପାଇଛି । ଏଲଆଇସିର ପ୍ରତି ସେୟାରର ମୂଲ୍ୟ ୯୪୯ ଟଙ୍କା ଥିବାବେଳେ ଏହାର ମୂଲ୍ୟ ୭.୭୭ ପ୍ରତିଶତ ହ୍ରାସ ପାଇ କାରବାର ଶେଷବେଳକୁ ରହିଛି ୮୭୫ ଟଙ୍କା ୨୫ ପଇସା ।

ଏଲଆଇସିର ଆଇପିଓ ଦେଶର ସବୁଠାରୁ ବଡ ଆଇପିଓ ଥିବାରୁ ସମସ୍ତଙ୍କ ନଜର ଏହା ଉପରେ ଥିଲା । ବିଶେଷଜ୍ଞଙ୍କ କହିବା କଥା ହେଲା , ବଜାରରେ ଅସ୍ଥିରତା କାରଣରୁ ଏଲଆଇସିର ସେୟାରରେ ହ୍ରାସ ଘଟିଛି । ଆଗରୁ ଏଥିରେ ସୁଧାର ହେବ ।

ଲିଷ୍ଟିଂର ପ୍ରଥମ ଦିନରେ ଏଲଆଇସି ସେୟାରରେ ହ୍ରାସ ଘଟିଥିବାରୁ ୪୭ ହଜାର କୋଟି ଟଙ୍କାର କ୍ଷତି ହୋଇଛି । ଏଲଆଇସି ସେୟାର ମୂଲ୍ୟ ହ୍ରାସର ପ୍ରମୁଖ କାରଣ ଋଷ-ୟୁକ୍ରେନ ଯୁଦ୍ଧ, ବିଶ୍ୱବଜାରରେ ମାନ୍ଦାବସ୍ଥା, ମୁଦ୍ରାସ୍ଫୀତି ଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ବୋଲି କୁହାଯାଉଛି । ବଜାର ବିଶେଷଜ୍ଞ କହିଛନ୍ତି, ପ୍ରଥମ ଦିନର କ୍ଷତିରେ ନିବେଶକ ହତାଶ ହେବା ଉଚିତ ନୁହେଁ । ଯଦି ନିବେଶକ ଦୃଢ ନିଶ୍ଚିତ ରହି ଦୀର୍ଘକାଳୀନ ଭିତ୍ତିରେ ଏଲଆଇସି ଆଇପିଓରେ ନିବେଶ କରିବେ ତାହାହେଲେ ସେମାନେ ଆଗକୁ ଭଲ ଲାଭ ପାଇବେ ।

ପ୍ରଥମ ଦିନର କ୍ଷତି ସତ୍ୱେ ଷ୍ଟକ ଏକ୍ସଚେଞ୍ଜରେ ଲିଷ୍ଟେଡ ହୋଇଥିବା କମ୍ପାନୀଙ୍କ ମଧ୍ୟରେ ଏଲଆଇସି ପଂଚମ ବଡ କମ୍ପାନୀ ହୋଇପାରିଛି । ଏଲଆଇସିର ମାର୍କେଟ କ୍ୟାପିଟାଲ ପାଖାପାଖି ୫, ୫୩ ଲକ୍ଷ କୋଟିରେ ପହଂଚିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ପ୍ରଥମ ସ୍ଥାନରେ ରହିଛି ।