ମହାରାଷ୍ଟ୍ର ଓ ଦିଲ୍ଲୀରେ ରକେଟ ଭଳି ମାଡୁଛି କରୋନା । ହେଲେ ଲକଡାଉନ୍ ସପକ୍ଷରେ ନାହାଁନ୍ତି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ।

186

କନକ ବ୍ୟୁରୋ: ଦିଲ୍ଳୀ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ମହାରାଷ୍ଟ୍ରରେ ଦୈନିକ ୪୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଦିଲ୍ଲୀରେ ଦୈନିକ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ହେଲେ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ ସପକ୍ଷରେ ନାହାଁନ୍ତି, କେବଳ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ତେବେ କଣ ରହିଛି ଦୁଇ ରାଜ୍ୟ ମୁଖ୍ୟଙ୍କ ଆଭିମୁଖ୍ୟ…

କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କେଇପଦ କଥା ଆଶ୍ୱସ୍ତି ଆଣିଦେଇଛି । ତୃତୀୟ ଲହରର ଭୟ, ଲକଡାଉନ ସଟଡାଉନର ଆଶଙ୍କାରେ ଥିବା ଜନସାଧାରଣଙ୍କ ପାଇଁ କେଜ୍ରିୱାଲଙ୍କ ବୟାନ ଅନେକ ବାର୍ତା ରଖୁଛି । ସେ ସତର୍କ କରିଛନ୍ତି, କିନ୍ତୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ଦ୍ୱିତୀୟ ଲହର ସହ ବର୍ତମାନର ସ୍ଥିତିକୁ ତୁଳନା କରି କହିଛନ୍ତି, କରୋନାର ଦ୍ୱିତୀୟ ଲହର ସମୟରେ ମେ ୭ରେ ଦିଲ୍ଳୀରେ ଯେତିକି ସଂକ୍ରମିତ ଚିହ୍ନଟ ହୋଇଥିଲେ, ଏବେ ଦିଲ୍ଳୀରେ ଦିନକୁ ପ୍ରୟ ସେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ପାର୍ଥକ୍ୟ ହେଉଛି ମେ ୭ରେ ସେତେବେଳେ ୩୪୧ଜଣଙ୍କର ମୃତ୍ୟୁ ହୋଇଥିଲା ଏବେ ମାତ୍ର ୭ଜଣଙ୍କର ଜୀବନ ଯାଇଛି ।

ସେତେବେଳେ ହସ୍ପିଟାଲର ପ୍ରାୟ ୨୦ ହଜାର ବେଡ୍ ଭର୍ତି ହୋଇଯାଇଥିଲା । ଏବେ ମାତ୍ର ଦେଢ଼ ହଜାର ବେଡ୍ ଭର୍ତି ହୋଇ ରହିଛି । ଲୋକ ମାସ୍କ ପିନ୍ଧିଲେ ଦିଲ୍ଳୀରେ ଲକଡାଉନର ଆବଶ୍ୟକତା ପଡିବ ନାହିଁ । ଅର୍ଥାତ ମୃତ୍ୟୁ କମ ହେଉଛି ଓ କମ ଲୋକଙ୍କୁ ଡାକ୍ତରଖାନାକୁ ଯିବାକୁ ପଡୁଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

ଅନ୍ୟପଟେ ଦେଶରୁ ଦୈନିକ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ସବୁଠାରୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି । ଏହାକୁ ନିୟନ୍ତ୍ରଣ ପାଇଁ ରାଜ୍ୟରେ ସୋମବାରଠାରୁ ନାଇଟ କର୍ଫ୍ୟୁ ଲାଗୁ ହେବ । ହୋଟେଲ, ସପିଂ ମଲ, ଅଡିଟୋରିୟମ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ଜିମ୍ ଓ ସେଲୁନ ବନ୍ଦ ରହିବ । ଚିଡ଼ିଆଖାନା ଓ ସଂଗ୍ରହାଳୟ ବନ୍ଦ ରହିବ । ୫ ଜଣରୁ ଅଧିକଙ୍କୁ ଏକାଠି ହେବା ଉପରେ କଟକଣା ଲଗାଯାଇଛି । କିନ୍ତୁ ଲକଡାଉନ ସପକ୍ଷରେ ନାହାଁନ୍ତି ମହାରାଷ୍ଟ୍ର ସରକାର ।

ଏନେଇ ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କହିଛନ୍ତି, ସରକାର ଲକଡାଉନ କରିବାକୁ ଚାହୁଁନାହାନ୍ତି । କିନ୍ତୁ ଅନାବଶ୍ୟକ ଭାବେ ଭିଡ଼ ନକରିବା ଉଚିତ୍ । କୋଭିଡ୍ ନିୟମ କଡ଼ାକଡ଼ି ପାଳନ ନକଲେ କୌଣସି କଟକଣା ଫଳପ୍ରଦ ହେବ ନାହିଁ । ତେବେ ଲକ୍ଷଣ ଆସିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ସେ କହିଛନ୍ତି । ତେବେ ଦେଶର ଅନ୍ୟ ଯେଉଁ ରାଜ୍ୟମାନେ ଲକଡାଉନ ଲଗାଇବା ପାଇଁ ଚିନ୍ତା କରୁଛନ୍ତି ସେମାନଙ୍କ ପାଇଁ ଉଦ୍ଧବ ଓ କେଜ୍ରିୱାଲଙ୍କ ମତ ବେଶ ଗୁରୁତ୍ୱ ରଖୁଛି ।