ଆଜିଠୁ ବୁଷ୍ଟର ଡୋଜ୍ : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ୭୫ ଦିନ ଯାଏଁ ମାଗଣାରେ ମିଳିବ ଟିକା

118

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ୧୮ରୁ ୫୯ ବୟସ ବର୍ଗର ଲୋକଙ୍କୁ ଦିଆଯିବା ମାଗଣା ବୁଷ୍ଟର ଡୋଜ୍ । ସରକାରୀ ଡାକ୍ତରଖାନା ଗୁଡ଼ିକରେ ଲୋକେ ଏହି ବୁଷ୍ଟର ଡୋଜ୍ ନେଇପାରିବେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଛି ଓଡ଼ିଶା ସରକାର । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ୭୫ ଦିନ ଯାଏଁ ଏହି ବୁଷ୍ଟର ଡୋଜ୍ ମାଗଣାରେ ମିଳିବ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା ପରେ ଆଜିଠାରୁ ଟିକାକରଣ ଅଭିଯାନ ଆରମ୍ଭ କରିବା ସହ ଦୈନିକ କୋଭିଡ୍ ପରୀକ୍ଷା ସଂଖ୍ୟାକୁ ବୃଦ୍ଧି କରାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପର୍ଯ୍ୟନ୍ତ ୬୦ରୁ ଅଧିକ ବର୍ଷର ଲୋକଙ୍କୁ ମାଗଣା ବୁଷ୍ଟର ଡୋଜ୍ ଦିଆଆସୁଛି । କିନ୍ତୁ ୧୮ରୁ ୫୯ ବର୍ଷର ଲୋକଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ୍ ଘୋଷଣା ହୋଇନଥିଲା । ଏବେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଏହି ବୟସ ବର୍ଗର ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି ।

ଦେଶରେ ମାତ୍ର ୧ ପ୍ରତିଶତ ଲୋକେ ବୁଷ୍ଟର ଡୋଜ୍ ନେଇଛନ୍ତି । ଦେଶର ଅଧିକାଂଶ ଲୋକେ କରୋନାର ଦୁଇଟି ଯାକ ଡୋଜ୍ ନେଇଥିବା ବେଳେ ବୁଷ୍ଟର ଡୋଜ୍ ନେବା ପାଇଁ ସେତେଟା ଆଗ୍ରହ ଦେଖାଉନାହାନ୍ତି । ତେଣୁ ଲୋକଙ୍କ ମନରେ କିପରି ସଚେତନତା ସୃଷ୍ଟି କରାଯିବ ଏବଂ ବୁଷ୍ଟର ଡୋଜ୍ ନେବେ, ସେଥିପାଇଁ କେନ୍ଦ୍ର ସରକାର ୭୫ ଦିନ ଲାଗି ମାଗଣା ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତି ନେଇଛନ୍ତି ।

ସେହିପରି ଆଜିଠାରୁ ବିଏମସି ମାଗଣା ବୁଷ୍ଟର ଡୋଜ୍ ପ୍ରଦାନ କରିବ । ଏଥିପାଇଁ ୧୨ଟି ହସ୍ପିଟାଲରେ ଟିକାକରଣ କରାଯିବାକୁ ବିଏମସି ସ୍ଥିର କରିଛି । ସକାଳ ୧୦ଟାରୁ ଗୋଟାଏ ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହିସବୁ କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇଥିବା ବିଏମସି ସୂଚନା ଦେଇଛି । ବୁଷ୍ଟର ଡୋଜ୍ ନେବା ପାଇଁ ବିଏସମି ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି ।