ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ପରେ ଉତ୍ସବମୁଖର ଶ୍ରୀଲଙ୍କା : ସିଙ୍ଗାପୁରରେ ରାଜନୈତିକ ଶରଣ ମିଳିବା ନେଇ ସୂଚନା

105

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଅସ୍ଥିର ପରିସ୍ଥିତି ଭିତରେ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଗୋଟାବାୟା ଏବେ ସିଙ୍ଗାପୁରରେ ଅଛନ୍ତି । ସେଠାରୁ ସେ ନିଜ ଇସ୍ତଫାପତ୍ର ଶ୍ରୀଲଙ୍କା ସଂସଦର ବାଚସ୍ପତିଙ୍କୁ ପଠାଇଛନ୍ତି । ତାଙ୍କ ପରେ କିଏ ରାଷ୍ଟ୍ରପତି ହେବେ ସ୍ପଷ୍ଟ ହୋଇ ନାହିଁ ।

ଅନ୍ୟପଟେ ଗୋଟାବାୟାଙ୍କୁ ସିଙ୍ଗାପୁରରେ ରାଜନୈତିକ ଶରଣ ମିଳିପାରେ ବୋଲି କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏପଟେ ରାଜଧାନୀ କଲମ୍ବୋରେ ହଜାର ହଜାର ବିକ୍ଷୋଭକାରୀ ପ୍ରତିବାଦ ଜାରି ରଖିଛନ୍ତି । ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ସଂସଦ ଭବନ ଏବେବି ବିକ୍ଷୋଭକାରୀଙ୍କ କବଜାରେ ରହିଛି । ତେବେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ କଡ଼ା ପଦକ୍ଷେପ ନେଉଛି ସେନା । ରାଜଧାନୀ କଲମ୍ବୋରେ ସେନା ଟ୍ୟାଙ୍କ୍ ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନ ଶ୍ରୀଲଙ୍କା ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି । ଦେଶରେ ଆର୍ଥିକ ସଂକଟ ଦୂର ହେବାର ନାଁ ନେଉନାହିଁ । ଏହାରି ଭିତରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଇସ୍ତଫା ଦେଇଛନ୍ତି । ଗୋଟାବାୟାଙ୍କ ଇସ୍ତଫା ପରେ ଲୋକଙ୍କ ମନରେ ଖୁସିରେ ଲହରି ଖେଳିଯାଇଛି । ସଚିବାଳୟ ବାହାରେ ପ୍ରଦର୍ଶନକାରୀ ବିଜୟ ଉତ୍ସବ ମନାଇଛନ୍ତି । ପ୍ରଦର୍ଶନକାରୀ ରାଷ୍ଟ୍ରପତିଙ୍କ ଇସ୍ତଫାକୁ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଥିଲେ ।

ସେପଟେ ଶ୍ରୀଲଙ୍କାର ରାଜନୈତିକ ଦଳଗୁଡ଼ିକ ଏକ ସର୍ବଦଳୀୟ ସରକାର ଗଠନ କରିବା ତଥା ଦେବାଳିଆ ସ୍ଥିତିରେ ପହଂଚିଥିବା ଦେଶରେ ଅରାଜକତା ବ୍ୟାପିବାରୁ ରୋକିବା ପାଇଁ ଜୁଲାଇ ୨୦ ତାରିଖରେ ରାଷ୍ଟ୍ରପତି ନିର୍ବାଚନ କରିବା ପାଇଁ ପ୍ରୟାସ ଜୋରଦାର କରିଦେଇଛନ୍ତି । ଏହାରି ଭିତରେ ଆଜି ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ । ବିରୋଧୀ ଦଳର କହିବା ଅନୁସାରେ, ଆଜି ସକାଳ ୧୦ଟାରେ ନୂଆ ପ୍ରଧାନମନ୍ତ୍ରୀ ନାଁ ଘୋଷଣା କରାଯିବ ।