ତୁର୍କୀରେ ପହଞ୍ଚିଲା ଏନଡିଆରଏଫ ଟିମ୍ : ସବୁ ପ୍ରକାର ସହାୟତା କରିବାକୁ ଭାରତ ପ୍ରସ୍ତୁତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ

205

କନକ ବ୍ୟୁରୋ : ତୁର୍କୀରେ ପହଞ୍ଚିଲା ଏନଡିଆରଏଫ ଟିମ୍ । ଭାରତୀୟ ବାୟୁସେନା ଏନଡିଆରଏଫ ଟିମ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ତୁର୍କୀର ଆଡ୍ଡା ବିମାନବନ୍ଦରରେ ପହଞ୍ଚିଛି । ୧୦୧ ଜଣ ଏନଡିଆରଏଫ୍ ଯବାନ ତୁର୍କୀ ଯାଇଛନ୍ତି । ଏହି ଟିମ୍ ଉଦ୍ଧାର କାର୍ଯ୍ୟରେ ସହାୟତା କରିବେ । ପ୍ରତ୍ୟେକ ଭୂକମ୍ପ ପୀଡିତଙ୍କ ସହ ୧୪୦ କୋଟି ଭାରତୀୟଙ୍କ ସମବେଦନା ରହିଛି ବୋଲି ଗତକାଲି କହିଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ତୁର୍କୀକୁ ସବୁ ପ୍ରକାର ସହାୟତା କରିବାକୁ ଭାରତ ପ୍ରସ୍ତୁତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ଆଜି ପୁଣି ଥରିଲା ତୁର୍କୀ । ଭୂକମ୍ପର ତୀବ୍ରତା ୫.୬ ରହିଛି । ପ୍ରକୃତିର ଭୟଙ୍କର ତାଣ୍ଡବରେ ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ଆଶଙ୍କା କରାଯାଉଛି । ଭୂକମ୍ପ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ତୁର୍କୀ । ଏଠାରେ ପାଖାପାଖି ୩ ହଜାର ଲୋକଙ୍କ ଜୀବନ ଯାଇଛି । ସିରିୟା ସୀମାକୁ ଲାଗିଥିବା ଏହି ଦେଶରେ ୩ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେହିପରି ସିରିୟାରେ ମଧ୍ୟ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ତୁର୍କୀରେ ପ୍ରଥମ ଝଟକା ଯୋଗୁଁ ୧୦ଟି ସହର ପ୍ରଭାବିତ ହୋଇଥିଲା । ତୁର୍କୀରେ ସପ୍ତାହେ ବ୍ୟାପୀ ଜାତୀୟ ଶୋକ ଘୋଷଣା କରାଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି ।