ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ । ପ୍ରଥମ ଇଞ୍ଜିନିୟର ଭାବେ ସମ୍ଭାଳିବେ ସେନାର କମାଣ ।

136

କନକ ବ୍ୟୁରୋ: ଦେଶର ଆଗାମୀ ସ୍ଥଳସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । କେନ୍ଦ୍ର ସରକାର ତାଙ୍କର ନିଯୁକ୍ତିିକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି । ତେବେ ଆଗାମୀ ଏପ୍ରିଲ ୩୦ ତାରିଖରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାର କମାଣ ସମ୍ଭାଳିବେ । ମନୋଜ ପାଣ୍ଡେ ପ୍ରଥମ ଇଞ୍ଜିନିୟ ହେବେ, ଯିଏକି ଭାରତୀୟ ସେନାର କମାଣ ସମ୍ଭାଳିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ସେନା ମୁଖ୍ୟ ଥିବା ମନୋଜ ମୁକୁନ୍ଦ ନରବଣେଙ୍କ ପରେ ସେ ଏହି ପଦରେ ଦାୟିତ୍ୱ ଭାର ଗ୍ରହଣ କରିବେ ।

ମନୋଜ ମୁକୁନ୍ଦ ନରବଣେଙ୍କ ପରେ ଜେନେରାଲ ମନୋଜ ପାଣ୍ଡେ ସେନାର ବରିଷ୍ଠ ଅଧିକାରୀ । ତେଣୁ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ସ୍ଥଳସେନା ମୁଖ୍ୟ ପଦରୁ ବିଦାୟ ନେବା ପରେ ମନୋଜ ମୁକୁନ୍ଦ ନରବଣେ ସିଡିଏସ୍ ପଦ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ନିଜର ୩୯ ବର୍ଷର ସେନା କ୍ୟାରିୟରରେ, ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ପଶ୍ଚିମ ଥିଏଟରରେ ଇଞ୍ଜିନିୟର ବ୍ରିଗେଡ୍, ଏଲଓପିରେ ପଦାତିକ ସେନାର ବ୍ରିଗେଡ୍, ଲଦାଖ ସେକ୍ଟରର ପୂର୍ବ ଡିଭିଜନ୍ ଓ ଉତ୍ତର-ପୂର୍ବ ଡିଭିଜନର କମାଣ ସମ୍ଭାଳିଛନ୍ତି । ତା ସହିତ ସେ ଆଣ୍ଡାମାନ ଓ ନିକୋବରରେ କମାଣ୍ଡର-ଇନ୍-ଚିଫ୍ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।