ନିର୍ବାଚନରେ ଓଲିଉଡ୍ ଷ୍ଟାର: ଭଦ୍ରକରେ ବିଜେଡି ପାଇଁ ପ୍ରଚାର କଲେ ବର୍ଷା ପ୍ରିୟଦର୍ଶୀନି 

147

କନକ ବ୍ୟୁରୋ: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି ସିନେ ତାରକା । ବିଜେଡି ପାଇଁ ବର୍ଷା ପ୍ରିୟଦର୍ଶିନୀ ପ୍ରଚାର କରିଥିବାବଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ଅନୁ ଚୌଧୁରୀ ଭୋଟ ମାଗିଛନ୍ତି । ସିନେ ତାରକାଙ୍କ ପ୍ରତି ଆମ ଲୋକଙ୍କ ଭିତରେ ସ୍ୱତନ୍ତ୍ର ଆକର୍ଷଣ ଥିବାରୁ ସେମାନଙ୍କୁ ଷ୍ଟାର କ୍ୟାମ୍ପେନର ସଜାଇ ପ୍ରଚାର କରୁଛନ୍ତ ପ୍ରାର୍ଥୀ । ସେମାନଙ୍କୁ ଦେଖିବା ପାଇଁ ଗାଁ ଦାଣ୍ଡରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି ।

ବିଜେଡି ସାଂସଦ ତଥା ସ୍ୱାମୀ ଅନୁଭବ ମହାନ୍ତିଙ୍କ ସହ ବିବାଦ ଭିତରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି । ବିଜେଡିର ସାଂସଦ ହୋଇଥିଲେ ବି ଯେତେବେଳେ ଅନୁଭବ ମହାନ୍ତି କେନ୍ଦ୍ରାପଡା ପ୍ରଚାର ମଇଦାନରୁ ଗାଏବ ଅଛନ୍ତି, ସେତିକିବେଳେ ଭଦ୍ରକ ବ୍ଲକ ବ୍ରହ୍ମପୁର ପଂଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବର୍ଷା । ବାଇକ ଶୋଭାଯାତ୍ରାରେ ସାମିଲ ହୋଇ,  ବିଭିନ୍ନ ଗାଁ ବୁଲି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ବର୍ଷାଙ୍କ ଏହି ପ୍ରଚାର ବର୍ଷା ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଆଉ ଆଗାମି ଦିନରେ ବର୍ଷା ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ୧୧ନଂ ଜୋନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ରୋଡସୋରେ ସାମିଲ ହୋଇ ବିଭିନ୍ନ ଗାଁ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । କେନ୍ଦ୍ର ସରକାରଙ୍କ ସବକା ସାଥ ସବକା ବିକାଶ ଧାରାକୁ ଅଗ୍ରଗତି କରିବା ପାଇଁ ବିଜେପିକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ଦୀର୍ଘ ବର୍ଷ ହେବ ଏହି ଜିଲ୍ଲାପରିଷଦ ଆସନ ବିଜେଡି ହାତରେ ରହିଥିବାରୁ ଦଖଲ କରିବା ପାଇଁ ସବୁ ବଳ ଲଗାଇ ଦେଇଛି ବିଜେପି ।

ପୋଲସରାରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ତମନ୍ନା, ପୁନମ ଓ ଦେବାଶିଷ ପାତ୍ର । ପୋଲସରାରେ ରୋଡ ସୋ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ସିନେ ତାରକା ।