ଜଣେ ସ୍ୱାମୀର ୧୪ ସ୍ତ୍ରୀ: ଗିରଫ କଲା ବେଳେ କାବା ହୋଇଗଲା କମିଶନରେଟ ପୁଲିସ

429

କନକ ବ୍ୟୁରୋ: ଏହା ଏପରି ଏକ କାହାଣୀ, ଯାହାକୁ ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କ କାରନାମା ଜାଣିଲେ ସମସ୍ତଙ୍କ ହୋସ ଉଡିଯିବ । କେତେବେଳେ ନିଜକୁ ରମେଶ ସ୍ୱାଇଁ, କେତେବେଳେ ଡାକ୍ତର ବିଧୁ ପ୍ରକାଶ ସ୍ୱାଇଁ ତ କେତେବେଳେ ଡାକ୍ତର ରମଣୀ ରଂଜନ ସ୍ୱାଇଁ ବୋଲି ପରିଚୟ ଦେଇ ଠକାମୀ ବଡ଼ ଯୋଜନା କରିଥିଲେ ଏହି ଧୃତ ଜଣଙ୍କ । ଆଉ ତାଙ୍କର ମୁଖ୍ୟ ଟାର୍ଗେଟ ଥିଲେ ସମ୍ଭ୍ରାନ୍ତ ମଧ୍ୟବୟସ୍କ ମହିଳା, ଡିଭୋର୍ସୀ ଓ ବିଧବା ମହିଳା । ମାଟ୍ରିମୋନିଆଲ୍ ସାଇଟ୍ରେ କିପରି ମହିଳାଙ୍କୁ ପ୍ରେମ ଜାଲରେ ପକାଇହୁଏ, ସେହି କଳାରେ ଧୁରନ୍ଧର ଥିଲେ ଏହି ବ୍ୟକ୍ତି ଜଣକ ।

ଦିଲ୍ଲୀରେ ୨ ଜଣ, ମଧ୍ୟପ୍ରଦେଶରେ ୨, ଛତିଶଗଡ଼, ଆସାମ, ପଂଜାବ, ଝାଡ଼ଖଣ୍ଡରେ ଜଣେ ଜଣେ ମହିଳାଙ୍କୁ ବିବାହ କରିଥିବା ନେଇ ସୂଚନା ମିଳିଛି କମିସନରେଟ୍ ପୁଲିସକୁ । ଆଉ ଓଡ଼ିଶାରେ ୩ ଜଣ ମହିଳାଙ୍କୁ ବିବାହ କରିଥିବା ଜାଣିବାକୁ ମିଳିଛି ।

ଗତବର୍ଷ ଜୁଲାଇ ମାସରେ ଦିଲ୍ଲୀର ଜଣେ ଶିକ୍ଷୟିତ୍ରୀ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଥିଲା, ମିଛ ପରିଚୟ ଦେଇ ବିବାହ କରି ତାଙ୍କୁ ଠକିଥିଲେ । ଡାକ୍ତରର ପରିଚୟ ଦେଇ ୨୦୧୮ ମସିହାରେ ଦିଲ୍ଲୀ ଜନକପୁରରେ ବିବାହ କରି କିଛି ଦିନ ଭୁବନେଶ୍ୱରରେ ରଖିଥିଲେ । ତାଙ୍କର ଅସଲ ପରିଚୟ ଜାଣିବା ପରେ ମହିଳାଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ସେତେବେଳୁ ପୁଲିସର ଟାର୍ଗେଟ ରହିଥିଲେ ଏହି ଠକ ।

ରମେଶ ସ୍ୱାଇଁଙ୍କୁ ଖଣ୍ଡଗିରିରୁ ଗିରଫ କରିବା ପରେ ଛାନଭିନ୍ନରୁ ଯାହା ଜାଣିବାକୁ ପାଇଲେ, ତଦନ୍ତକାରୀ ଅଧିକାରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପ୍ରେମ, ବିବାହ ଓ ଧୋକାର ପୂରା କାହାଣୀ, ସମସ୍ତଙ୍କୁ ଚକିତ କରି ଦେଇଥିଲା । କେବଳ ସେତିକି ନୁହେଁ, ବିଭିନ୍ନ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ଅଧିକାରୀର ପରିଚୟ ଦେଇ କୋଟି କୋଟି ଟଙ୍କା ଚୁନା ଲଗାଇଥିଲେ ଏହି ଠକ ମାଷ୍ଟର ।
ରମେଶଙ୍କ କାରନାମା
୨୦୦୬ରେ କେରଳରୁ ୧୩ଟି ବ୍ୟାଙ୍କ ଆକାଉଂଟ ଖୋଲି କୋଟିଏ ଟଙ୍କା ହଡ଼ପ
୨୦୧୧ରେ ହାଇଦ୍ରାବାଦରେ ଏମବିବିଏସ ଆଡମିସନ୍ କରାଇ ଦେବାକୁ କହି ୨ କୋଟି ହଡ଼ପ
୨୦୧୮ରେ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରିଥିଲା
ଗୁରୁଦ୍ୱାରରେ ହସପିଟାଲ୍ କରାଇଦେବା କହି ୧୧ ଲକ୍ଷ ଟଙ୍କା ଠକିଥିଲା

ରମେଶ ସ୍ୱାଇଁଙ୍କ ଅପରାଧର ପୂରା ପୃଷ୍ଠା ଖୋଲିବା ପାଇଁ ସ୍ୱତନ୍ତ୍ରୀ ଟିମ୍ ଗଠନ କରାଯାଇଛି । ରିମାଣ୍ଡରେ ଆଣି ଠକାମୀର ସତ ଜାଣିବାକୁ ଉଦ୍ୟମ କରିବ କମିସନରେଟ୍ ପୁଲିସ ।