ଅସ୍ତରଙ୍ଗ ବ୍ଲକରେ ସାରାରାତି ଉଜାଗର ରହି ମଞ୍ଚା ବାନ୍ଧି ଫସଲ ଜଗୁଛି ଚାଷୀ। ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ଜୀବ।

71

କନକ ବ୍ୟୁରୋ: ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲି ଜୀବ । ରାତି ଅନିଦ୍ରା ହୋଇ ଫସଲ ଜଗୁଛନ୍ତି ଚାଷୀ । ଚାଷ ଜମିରେ ହରିଣ ପଲ ଏବଂ ବାରହା ପଶି ପାଚିଲା ଧାନ ଖାଇବା ସହ ଧାନ ଗଛ ସବୁ ଦଳିଚକଟି ନଷ୍ଟ କରୁଛନ୍ତି । ଆଉ ଫସଲ ସୁରକ୍ଷା ପାଇଁ ଧାନ ଜମିରେ ନିଆଁ ଜାଳି, ଡ୍ରମ ବଜାଇ ଓ ମଞ୍ଚା ବାନ୍ଧି ରାତି ସାରା ଉଜାଗର ରହୁଛନ୍ତି ଚାଷୀ । ଏଭଳି ଦୃଶ୍ୟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରୁ ଆସିଛି । ପାଖାପାଖି ୫ଟି ଗାଁର ଚାଷୀ ଏଭଳି କ୍ଷତିଗ୍ରସ୍ତ ହୋଇଛନ୍ତି । ହେଲେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଲୋକେ ଅଭିଯୋଗ କରିଛନ୍ତିି ।

ବାହରା ଏବଂ ହରିଣଙ୍କ ଉପଦ୍ରବ ଯୋଗୁଁ ଚାଷୀଙ୍କର ଏକର ଏକର ପାଚିଲା ଧାନ ନଷ୍ଟ ହୋଇଛି । ଏନେଇ ବାରମ୍ବାର ଦାବି କଲେ ବି ଧାନ ଜମିକୁ ସୁରକ୍ଷା ମିଳୁନି କି କ୍ଷତିପୁରଣ ମଧ୍ୟ ମିଳୁନାହିଁ । ଖାଦ୍ୟ ଅଭାବରୁ ଜଙ୍ଗଲି ବାରହା ଏବେ ଗାଁ ମୁହାଁ ହେଉଛନ୍ତି । ରାତି ହେବା ମାତ୍ରେ ଅସ୍ତରଙ୍ଗ ସମୁଦ୍ରକୂଳ ପାଖ ଜଙ୍ଗଲରେ ଥିବା ଚାଷୀଙ୍କ ଚାଷ ଜମିରେ ହରିଣ ପଲ ଏବଂ ବାରହା ଉତ୍ପାତ ମଚାଉଛନ୍ତି । ଅସ୍ତରଙ୍ଗ ବ୍ଲକର ସହନ, ଗୁଣ୍ଡଳବା, ସୁଧୀକେଶ୍ୱର ଆଉ ବଳଭଦ୍ରପୁର ଗାଁର ଶହ ଶହ ଚାଷୀଙ୍କ ଫସଲ ଉଜୁଡ଼ିବାକୁ ବସିଲାଣି । ଧାନ କ୍ଷେତକୁ ସୁରକ୍ଷା ଦେବା ପାଇଁ ଚାଷୀ ରାତି ଅନିଦ୍ର ହୋଇ ଶୀତ କାକରରେ ମଞ୍ଚା ବାନ୍ଧି ବସିଛନ୍ତି । ରାତି ହେବା ମାତ୍ରେ ଜମି ପାଖରେ କିଏ ନିଆଁ ଜାଳୁଛି ତ ପୁଣି କିଏ ଡ୍ରମ ବାଡ଼େଇ ବାରହା ଘଉଡ଼ାଉଛି । ଏପରିକି ଚାଷଜମି ଚାରିପଟେ ଜାଲ ଘେରାଇ ଫସଲ ରକ୍ଷା କରୁଛନ୍ତି ଚାଷୀ । ବନ ବିଭାଗ ପକ୍ଷରୁ ଫସଲ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରାଯାଉନଥିବା ବେଳେ ଚାଷୀ ନିଜ ଫସଲ ପାଇଁ ରାତି ଅନିଦ୍ରା ହେବାକୁ ପଡ଼ୁଛି ।