ବିବାହ ବିଚ୍ଛେଦକୁ ନେଇ ସର୍ବୋଚ୍ଚ ନାୟାଳୟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏଣିକି ଛାଡପତ୍ର ପାଇଁ ୬ ମାସ ଅପେକ୍ଷା କରିବା ବାଧ୍ୟତାମୂଳକ ନୁହେଁ । ଏଣିକି ତୁରନ୍ତ ହୋଇପାରିବ ବିବାହ ବିଚ୍ଛେଦ

459

କନକ ବ୍ୟୁରୋ : ଏଣିକି ତୁରନ୍ତ ହୋଇପାରିବ ଛାଡ଼ପତ୍ର । ଛାଡ଼ପତ୍ର ପ୍ରସଙ୍ଗରେ ଏପରି ଏକ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଏହି ପ୍ରକ୍ରିୟା ପାଇଁ ୬ମାସ ପର୍ଯ୍ୟନ୍ତ ସମୟ ଲାଗୁଥିଲା, ଏବଂ ଦମ୍ପତିଙ୍କୁ ଅପେକ୍ଷା କରିବାକୁ ପଡୁଥିଲା । ଏବେ କିନ୍ତୁ ସୁପ୍ରିମକୋର୍ଟ ଚାହିଁଲେ ତୁରନ୍ତ ହୋଇପାରିବ ଛାଡ଼ପତ୍ର । ସ୍ୱାମୀ-ସ୍ତ୍ରୀ ଭାବେ ଏକାଠି ରହିବା ସମ୍ଭବ ନଥିବା ଦମ୍ପତିଙ୍କ କ୍ଷେତ୍ରରେ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨କୁ ବ୍ୟବହାର କରି ବିବାହ ବିଚ୍ଛେଦକୁ ଅନୁମତି ଦେଇପାରିବେ ବୋଲି କହିଛନ୍ତି ।

କିନ୍ତୁ ସମ୍ବିଧାନର ଧାରା ୧୪୨କୁ ବ୍ୟବହାର କରିବା ବେଳେ ସର୍ବୋଚ୍ଚ ଅଦାଲତ ମଧ୍ୟ ସବୁ ପ୍ରକାରର ସ୍ଥିତିକୁ ପରଖିବେ । କେଉଁ ସବୁ ଆଚରଣ ଓ ସ୍ଥିତି ଦ୍ୱାରା ଦମ୍ପତିଙ୍କ ମଧ୍ୟରେ ଆଉ ସମ୍ପର୍କ ସ୍ଥାପନ କରିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟ ବିବେଚନା କରିବେ । ଜଷ୍ଟିସ ଏସକେ କୌଲ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ଏଏସ୍ ଓକା, ଜଷ୍ଟିସ ବିକ୍ରମନାଥ ଓ ଜଷ୍ଟିସ ଜେକେ ମାହେଶ୍ୱରୀଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି । ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ ସୁପ୍ରିମକୋର୍ଟଙ୍କ ପାଖରେ ପୁଣି ଏକାଠି ରହିବା ଅସମ୍ଭବ ହେଉଥିବା ବିବାହକୁ ଭାଙ୍ଗିବାର ଅଧିକାର ରହିଛି । ଏହାର ଅର୍ଥ ଛାଡ଼ପତ୍ର ପାଇଁ ଆଉ ୬ମାସ ଯାଏଁ ଅପେକ୍ଷା କରିବାକୁ ପଡ଼ିବନି । ଏହି ରାୟ ପରେ ଦମ୍ପତି ପାରିବାରିକ ଅଦାଲତ ନଯାଇ ସୁପ୍ରିମକୋର୍ଟରୁ ସିଧାସଳଖ ଛାଡ଼ପତ୍ର ଆଣିପାରିବେ । ୨୦୧୪ରେ ହୋଇଥିବା ଏକ ମାମଲାର ଶୁଣାଣୀ ବେଳେ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ୨୦୧୪ରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହେଇଥିଲା । ଯେଉଁଥିରେ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ତୁରନ୍ତ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ଶିଳ୍ପା ଶୈଳେସ ଓ ବରୁନ ଶ୍ରୀନିବାସନ ।