ସୋସିଆଲ ମିଡ଼ିଆରେ ଶୁଭମାନ ସେୟାର କଲେ ପୋଷ୍ଟ, ଆଇସିସି ନେଇପାରେ କଡା କାର୍ଯ୍ୟାନୁଷ୍ଠାନ ।

13,913

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । କିଏ ବିଜୟୀ ହେବ, କିଏ ପରାଜିତ ହେବ ତାହାକୁ ନେଇ ଚାଲିଛି ଆକଳନ । ଶେଷ ଦିନରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଚତୁର୍ଥ ଦିନରେ ମୈଦାନରେ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ଭାରତୀୟ କ୍ରିକେଟପ୍ରେମୀ ନିରାଶ ବ୍ୟକ୍ତ କରିଥିଲେ । ଏପରିକି ଭାରତୀୟ କ୍ରିକେଟର ମଧ୍ୟ ଏହି ଘଟଣାକୁ ନେଇ ନିଜର ନିରାଶା ବ୍ୟକ୍ତ କରିଛନ୍ତି । ଯେଉଁଥିପାଇଁ ଭାରତୀୟ କ୍ରିକେଟର ଶୁଭମାନ ଗିଲଙ୍କ ଉପରେ ଆଇସିସି କଡା କାର୍ଯ୍ୟାନୁଷ୍ଠାନ ନେଇପାରେ । ଶୁଭମାନ ଗିଲ ବିବାଦୀୟ କ୍ୟାଚ୍ ପରେ ପ୍ୟାଭିଲିୟନ ଫେରିଥିଲେ । କିନ୍ତୁ ଭାରତୀୟ ସମର୍ଥକ ଶୁଭମାନଙ୍କୁ ଆଉଟକୁ ସହଜରେ ଗ୍ରହଣ କରିପାରିନଥିଲେ । ବଲଟି ତଳେ ବାଜିଥିବା ଦର୍ଶାଇଥିଲେ ଭାରତୀୟ କ୍ରିକେଟ ପ୍ରଶଂସକ । ତେଣୁ ଶୁଭମାନଙ୍କୁ ଭୁଲ ନିଷ୍ପତ୍ତି ଯୋଗୁଁ ଆଉଟ କରାଯାଇଥିବା କହି ସୋସିଆଲ ମିଡ଼ିଆରେ ଅଷ୍ଟ୍ରେଲିଆ ଟିମକୁ ଟ୍ରୋଲ କରିଥିଲେ ଭାରତୀୟ କ୍ରିକେଟପ୍ରେମୀ । ଆଉ ଏହି ଟ୍ରେଣ୍ଡରେ ନିଜେ ଶୁଭମାନ ଗିଲ ମଧ୍ୟ ସାମିଲ ହୋଇଥିଲେ ।

ମ୍ୟାଚ ପରେ ଶୁଭମାନ ଏକ ଟ୍ୱିଟ୍ କରି ସେୟାର କରିଥିଲେ । ଯେଉଁଥିରେ କ୍ୟାଚ୍ ସମୟର ଫଟୋ ରହିଥିବା ବେଳେ ଜବକାଚ ଓ ମୁଣ୍ଡରେ ହାତ ଦେଇଥିବାର ଇମୋଜି ରଖିଥିଲେ । ଏହା ଆଇସିସି ଆଚରଣ ସଂହିତା ଉଲ୍ଲଘଂନ କରୁଥିବା କୁହାଯାଉଛି । ତେଣୁ ଶୁଭମାନଙ୍କ ଉପରେ ଆଇସିସି ଖୁବଶୀଘ୍ର ଜରିମାନା ଲଗାଇପାରେ । ଆଇସିସି ନିୟମ ଅନୁଯାୟୀ, କୌଣସି  ଖେଳାଳୀ ମ୍ୟାଚ୍ ଅଧିକାରୀ ଓ ଅମ୍ପାୟାରଙ୍କ ବାବଦରେ କୌଣସି ପ୍ରତିକ୍ରିୟା ସୋସିଆଲ ମିଡ଼ିଆରେ ସେୟାର କରିପାରିବେନି । ତେଣୁ ଆଇସିସି ଶୁଭମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।