ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ‘ଇଣ୍ଡିଆ’ ମେଣ୍ଟର ୨୧ ସାଂସଦ : ମଣିପୁରର ଆଇନ ଶୃଙ୍ଖଳା ଓ ପୀଡ଼ିତାଙ୍କ ସମସ୍ୟା ନେଇ କରାଇବେ ଅବଗତ

85

କନକ ବ୍ୟୁରୋ : ମଣିପୁର ହିଂସାକୁ ନେଇ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ଜଣ ସାଂସଦ । ଇଣ୍ଡିଆ ମେଣ୍ଟ ୨୧ ସାଂସଦ ମଣିପୁର ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରୁ ଫେରିବା ପରେ ସକାଳ ୧୧ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ । ବିରୋଧ ଦଳ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିଥିଲେ । ମଣିପୁରର ଆଇନ୍ ଶୃଙ୍ଖଳା ସ୍ଥିତି ଏବଂ ବିଭିନ୍ନ ଶିବିରରେ ରହୁଥିବା ପୀଡ଼ିତମାନଙ୍କ ସମସ୍ୟା ସମ୍ପର୍କରେ ବିରୋଧୀ ମେଣ୍ଟ ରାଷ୍ଟ୍ରପତିଙ୍କୁ ଅବଗତ କରାଇବେ ।

ସେପଟେ ମଣିପୁର ହିଂସାକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛି ବିଜେପି । ରାଜନୈତିକ ଫାଇଦା ପାଇଁ ବିରୋଧୀ ମେଣ୍ଟ ମଣିପୁର ସ୍ଥିତିକୁ ନେଇ ଯେଉଁଭଳି ରାଜନୀତି କରୁଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ଏବଂ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତେଜନା ହ୍ରାସ ପାଇଁ ଅହରହ କାମ କରୁଛନ୍ତି ସରକାର । କିନ୍ତୁ ବିରୋଧୀ ଏ ପ୍ରସଙ୍ଗରେ ଚର୍ଚ୍ଚା ବଦଳରେ କେବଳ ରାଜନୀତି କରୁଥିବା ବିଜେପି ଅଭିଯୋଗ ଆଣିଛି । ସେପଟେ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମଲିୱାଲ ରାଷ୍ଟ୍ରପତିଙ୍କୁ ପଠାଇଥିବା ରିପୋର୍ଟରେ ଦାବି କରିଛନ୍ତି ।