କୋଣାର୍କରେ ପାର୍କିଂ ଫି ଆଦାୟକୁ ନେଇ ଗଣ୍ଡଗୋଳ ଘଟଣାର ପ୍ରତିବାଦ । ଘଣ୍ଟା ଘଣ୍ଟା ଧରି ରିଙ୍ଗ୍ ରୋଡ ଅବରୋଧ କଲେ ଶତାଧିକ ଡ୍ରାଇଭର

107

କନକ ବ୍ୟୁରୋ : କୋଣାର୍କରେ ପାର୍କିଂ ଫି ଆଦାୟକୁ ନେଇ ଗଣ୍ଡଗୋଳ ଘଟଣାରେ ପ୍ରତିବାଦ । ଶତାଧିକ ଡ୍ରାଇଭର ଘଂଟା ଘଂଟା ଧରି କୋଣାର୍କ ରିଙ୍ଗ ରୋଡ଼ ଅବରୋଧ କରିବା ଦ୍ୱାରା ଅଟକି ରହିଲା ଶହ ଶହ ଗାଡ଼ି । କୋଣାର୍କ ଏନଏସିରେ ଗାଡ଼ି ପାର୍କିଂ ଫି ଆଦାୟକୁ ନେଇ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବା ବେଳେ ଆଜି ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଜଣେ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ ପାର୍କିଂ କର୍ମଚାରୀ । ଯାହାକୁ ନେଇ ସୂର୍ଯ୍ୟ ମନ୍ଦିର ସମ୍ମୁଖ କୋଣାର୍କ-ପୁରୀ ରିଙ୍ଗ ରୋଡ଼ ଅବରୋଧ କରିଥିଲେ ଡ୍ରାଇଭର । ଫଳରେ ଘଂଟା ଘଂଟା ଧରି ଯାନବାହାନ ଚଳାଚଳ ବ୍ୟାଘାତ ହୋଇଛି । କୋଣାର୍କ ପୋଲିସ ପହଂଚି ବୁଝାସୁଝା କରିଥିଲେ ମଧ୍ୟ ଉତେଜନା ମୂଳକ ପରିସ୍ଥିତି ଲାଗି ରହିଛି । ଶହ ଶହ ସଂଖ୍ୟାରେ ଗାଡ଼ି ରାସ୍ତା ଉପରେ କୋଣାର୍କରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଅଟକି ରହିଛି । ପର୍ଯ୍ୟଟନ ରୁତୁରେ କୋଣାର୍କରେ ଅସମ୍ଭବ ଭିଡ଼ ଲାଗିରହିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି । କୋଣାର୍କ ଏନଏସି ପକ୍ଷରୁ ଫିସ୍ ଆଦାୟ କରାଯାଉଥିବା ବେଳେ କୋଣାର୍କରେ ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ଜାଗା ନଥିବାରୁ ଯାନବାହାନ ରାସ୍ତାରେ ରହୁଛି । ଆଉ ଏଭଳି ସମସ୍ୟା ଦେଖାଦେଉଛି ।