ହ୍ୟୁମାନ ସାଗରଙ୍କ ପ୍ରତିକ୍ରିୟା : କହିଲେ ଏହା ତାଙ୍କ ବ୍ୟକ୍ତିଗତ ଘଟଣା; ଆଇନକୁ ସମ୍ମାନ ଦେଇ ଥାନାରେ ରଖିବେ ଜବାବ, ଆଜି ଉଭୟ ପତିପତ୍ନୀଙ୍କୁ କରାଯିବ କାଉନସେଲିଂ

369

କନକ ବ୍ୟୁକୋ : ଘରୋଇ ହିଂସା ମାମଲାରେ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ଘଟଣା । ଆଇନକୁ ସମ୍ମାନ ଦେଇ ଥାନାରେ ପହଞ୍ଚି ଜବାବ ରଖିବେ । ଦର୍ଶକଙ୍କୁ ନିରାଶ କରିବେ ନାହିଁ ବୋଲି କହିଛନ୍ତି ହ୍ୟୁମାନ ସାଗର ।

ପତ୍ନୀ ଘରୋଇ ହିଂସା ଅଭିଯୋଗ ଆଣିବା ପରେ କାଠଗଡାରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା । ମାମଲା ଏବେ କଟକ ମହିଳା ଥାନାରେ । ଆଉ ବିବାଦକୁ ନେଇ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀଙ୍କୁ ଆଜି ଥାନାରେ ହାଜର ହେବାକୁ ନୋଟିସ୍ ହୋଇଛି । ଉଭୟଙ୍କୁ ଆଜି ଥାନାରେ କାଉନସେଲିଂ କରାଯିବ ବୋଲି ସୂଚନା ମିଳିଛି ।

ଗତ କିଛି ମାସ ହେବ ହ୍ୟୁମାନ ସାଗର ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ପାରିବାରିକ ଅଶାନ୍ତି ଯୋଗୁଁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଛନ୍ତି । ମଙ୍ଗଳବାର ଡିସିପିଙ୍କ ଅଫିସକୁ ଯାଇ ଏନେଇ ଅଭିଯୋଗ କରିଥିଲେ ପତ୍ନୀ ଶ୍ରେୟା । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।