ହକି ବିଶ୍ୱକପ ମହାସମର : ଆଜି ଭାରତ–ୱେଲ୍ସ ମୁକାବିଲା; କଳିଙ୍ଗ ଷ୍ଟାଡିୟମରେ ହାଇଭୋଲଟେଜ ଟକ୍କର ଦେଖିବେ ଦର୍ଶକ

139

କନକ ବ୍ୟୁରୋ :  ହକି ବିଶ୍ୱକପ ମହାସମରରେ ଆଜି ଭାରତ–ୱେଲ୍ସ ମୁକାବିଲା । କଳିଙ୍ଗ ଷ୍ଟାଡିୟମରେ ହାଇଭୋଲଟେଜ ଟକ୍କର ଦେଖିବେ ଦର୍ଶକ । ସିଧାସଳଖ କ୍ୱାର୍ଟର ଫାଇନାଲ ଲକ୍ଷ୍ୟ ନେଇ ପଡିଆକୁ ଭାରତ ଓହ୍ଲାଇବ ।

ରାଉରକେଲାରେ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଘରୋଇ ଦଳ ଗୋଟିଏ ବିଜୟ ସ୍ପେନ୍‌ (୨-୦) ବିପକ୍ଷରେ ପାଇଥିଲା ବେଳେ ଇଂଲଣ୍ଡ ସହ ଗୋଲ୍‌ଶୂନ୍ୟ ଅମୀମାଂସିତ ରଖିଥିଲା । ଫଳରେ ଦଳ ଏବେ ଇଂଲଣ୍ଡ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ ପଛରେ ରହିଛି । ସିଧାସଳଖ କ୍ବାର୍ଟରଫାଇନାଲ୍‌ ସ୍ଥାନ ପକ୍କା କରିବାକୁ ‌ହେଲେ ‌ପୁଲ୍‌’ର ଶୀର୍ଷ ସ୍ଥାନ ଦଖଲ କରିବାକୁ ହେବ । ତେଣୁ ଗୁରୁବାର ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ଜିତି ପୁଲ୍‌-ଡି’ର ଶୀର୍ଷ ସହ ସିଧାସଳଖ କ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ଭାରତ ।

ଭାରତ-ୱେଲ୍ସ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ-ସ୍ପେନ୍‌ର ମ୍ୟାଚ୍‌ ରହିଛି । ଏହି ମ୍ୟାଚ୍‌ ପରେ ଭାରତକୁ ଟାର୍ଗେଟ୍‌ ମିଳିଯିବ । ଇଂଲଣ୍ଡ ଯେତିକି ବ୍ୟବଧାନରେ ସ୍ପେନ୍‌କୁ ହରାଇବ ଭାରତ ତା’ଠୁ ୪ ଗୋଲ୍‌ ଅଧିକରେ ଜିତିଲେ ସିଧାସଳଖ କ୍ବାର୍ଟରଫାଇନାଲ୍‌ ନିଶ୍ଚିତ କରିବ । ଯଦି ସ୍ପେନ୍‌ ଜିତି‌ନିଏ ୱେଲ୍ସ ବିପକ୍ଷରେ ଭାରତ କେବଳ ବିଜୟୀ ହେଲେ ‌‌ପୁଲ୍‌ର ଶୀର୍ଷ ସ୍ଥାନ ଦଖଲ କରିବ । ଏମିତି ବି ଭାରତ ଗୋଟିଏ ବିଜୟ ଓ ଡ୍ର’ ପାଇଥିବାରୁ ନକ୍‌ଆଉଟ୍‌ ହେବାର ନାହିଁ । ଯଦି ପୁଲ୍‌’ର ଶୀର୍ଷ ସ୍ଥାନ ନପାଏ ତେବେ କ୍ରସ୍‌ ଓଭର ଖେଳି କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିବାର ସୁଯୋଗ ରହିବ ।