ଟଙ୍କା ନଦେଲେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ : ଆବାସ ଦୁର୍ନୀତିର ସାଂଘାତିକ ଅଭିଯୋଗ; ଗୁରୁଣ୍ଡି ଗୁରୁଣ୍ଡି ଜିଲ୍ଲାପାଳଙ୍କୁ ଗୁହାରି କଲେ ଦିବ୍ୟାଙ୍ଗ ମହିଳା

177

କନକ ବ୍ୟୁରୋ : ଘର ଖଣ୍ଡିଏ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ନିରାଶ୍ରୟ ମହିଳା । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ବୟସ ଅଧିକ ଯୋଗୁଁ ଅଣ୍ଟାରେ ବଳ ନାହିଁ, ଅଣ୍ଟା ସଲଖି ଠିଆ ହୋଇପାରୁ ନାହାନ୍ତି, ଦୁଃଖ ଜଣାଇବାକୁ ଗୁରୁଣ୍ଡି ଗୁରୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି କାନ୍ଦି କାନ୍ଦି ନିଜ ଦୁଃଖ କାହାଣୀ କହିଛନ୍ତି ଗନ୍ଦିଆ ବ୍ଲକ ଦଶମାଣପାଟଣା ପଞ୍ଚାୟତ କରନ୍ଦା ଗାଁର ବିଜୁଳି ବେହେରା ।

ତାଙ୍କ ଅଭିଯୋଗ, ଆବାସ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ତାଲିକାରେ ତାଙ୍କର ନାଁ ରହିଥିଲା । କିନ୍ତୁ ଲାଞ୍ଚ ଟଙ୍କା ଦେଇନପାରିବାରୁ ଘର ମିଳିଲା ନାହିଁ । ଜଣେ ନିରାଶ୍ରୟ ବୃଦ୍ଧାଙ୍କ ଠାରୁ ଏଭଳି ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ଗନ୍ଦିଆ ବିଡିଓଙ୍କୁ ସଠିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଗନ୍ଦିଆ ବିଡିଓ ଆଶିଷ ସାହୁ ବିଜୁଳି ବେହେରାଙ୍କୁ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ଯେଉଁମାନେ ଲାଞ୍ଚ ଟଙ୍କା ମାଗୁଥିଲେ, ସେମାନଙ୍କୁ ଚିହ୍ନଟ କରି ପୁଲିସରେ ଜିମା ଦିଆଯିବ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ।