ଆଦିବାସୀ ଛାତ୍ରୀଙ୍କ ସୁରକ୍ଷା ଦାବି ବିରାଟ ରାଲି: ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଉଦେଶ୍ୟରେ ଦେଲେ ସ୍ମାରକ ପତ୍ର

99

କନକ ବ୍ୟୁରୋ: ରାୟଗଡା ଜିଲ୍ଲାରେ ବିଭିନ୍ନ ହଷ୍ଟେଲରେ ରହୁଥିବା ଆଦିବାସୀ ଅନ୍ତେବାସୀଙ୍କ ସୁରକ୍ଷା ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ । ମୁନିଗୁଡା ଠାରେ ଆଦିବାସୀ ଉନ୍ନୟନ ପରିଷଦ ତରଫରୁ ୧୦ଦଫା ଦାବି ନେଇ ସ୍ଥାନୀୟ ମୁନିଖୋଲ ଛକ ନିକଟରୁ ଏକ ବିରାଟ ଶୋଭାଯାତ୍ରା ହୋଇଛି । ଶହଶହ ଆଦିବାସୀ ଶୋଭାଯାତ୍ରାରେ ସହର ପରିକ୍ରମା କରି ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ହଜାର ଆଦିବାସୀ ।

ଏ ରାଲି ଆଦିବାସୀ ଛାତ୍ରୀଙ୍କ ପାଇଁ.. । ରାଜରାସ୍ତାରେ ଏ ଗର୍ଜନ ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ସୁରକ୍ଷା ପାଇଁ.. । ଛାତ୍ରୀ ନିବାସରେ ମହିଳା କର୍ମଚାରୀଙ୍କୁ ନିଯୁକ୍ତି କର.. । ଛାତ୍ରୀ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ.. । ଏମିତି କିଛି ନାରା ଦେଇ ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଆଦିବାସୀ ଉନ୍ନୟନ ପରିଷଦ । ହାତରେ ପ୍ଲା-କାର୍ଡ ଧରି ସହର ପରିକ୍ରମା କରିଛନ୍ତି ଶହଶହ ଆଦିବାସୀ

ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କୁ କର୍ମଚାରୀଙ୍କ ଘରୋଇ କାର୍ଯ୍ୟରୁ ନିବୃତ ରଖିବା, ସିସିଟିଭି ଫୁଟେଜ୍ର ନିୟମିତ ଯାଂଚ, ଶିଶୁ ଓ ମହିଳା ସୁରକ୍ଷା ଆଇନକୁ କଡାକଡି ଭାବରେ ପାଳନ କରିବା ଭଳି ୧୦ଦଫା ଦାବିରେ ମୁନିଗୁଡା ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଆଦିବାସୀ ମହିଳା ଓ ପୁରୁଷ । ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଓ ସଚିବଙ୍କ ଉଦେଶ୍ୟରେ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛି ଆଦିବାସୀ ଉନ୍ନୟନ ପରିଷଦ । ଆଗାମୀ ଦିନରେ ସରକାର ଦାବି ପୂରଣ ନକଲେ ରାଜ୍ୟସ୍ତରରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ।