ଅସ୍ୱାସ୍ଥ୍ୟକର ପରିବେଶରେ କେମିତି ଚାଲିଥିଲା ଗୁପଚୁପ ପ୍ରସ୍ତୁତି? ସିଏମସିର ରେଡ୍, ନଷ୍ଟ କରାଗଲା ନିମ୍ନମାନର ଗୁପଚୁପ

143

କନକ ବ୍ୟୁରୋ: କଟକରେ ଗୁପଚୁପର ଏଭଳି ପ୍ରସ୍ତୁତି ଦେଖିଲେ ହୁଏତ ଆପଣଙ୍କ ମନରେ ଘୃଣା ଆସିପାରେ । ବାହାର ରାଜ୍ୟରୁ ଆସି ଏଠାରେ ବିଭିନ୍ନ ବସ୍ତିରେ ରହି ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ଗୁପଚୁପ । ଏହାର ପ୍ରସ୍ତୁତି ପ୍ରତି କେହି କେବେ ଦୃଷ୍ଟି ଦେଇଥିବା ନଜରକୁ ଆସିନାହିଁ । ଯେଉଁଠି ଠେଲାଗୁଡିକରେ ଗୁପଚୁପ ବିକ୍ରି ହୁଏ ସବୁ ମୁକୁଳା ପଡିଛି । ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଚଟଣି, ଖଟାପାଣି ଡବା ବି ଖୋଲାପଡିଛି । ଏବଂ ଗୁପଚୁପ ବ୍ୟବହାର ହେଉଥିବା ପାଣିର ମାନ ମଧ୍ୟ ନ କହିଲେ ଭଲ ।

ଅତ୍ୟନ୍ତ ନିମ୍ନମାନର ସାମଗ୍ରୀରେ ତିଆରି ହେଉଛି ଗୁପଚୁପ । କେବଳେ ଗୁପଚୁପ ନୁହେଁ ଆଳୁ, ମଟର ଓ ବ୍ୟବହୃତ ତେଲ ମଧ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ଆମେ ଦେଖିବାକୁ ପାଇଥିଲୁ । ଆଉ ଶେଷରେ ଚେତିଛି ପ୍ରଶାସନ ।

ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଟକର ବିଭିନ୍ନ ଗୁପଚୁପ ତିଆରି ସ୍ଥାନ ଉପରେ ଚଢାଉ କରିଛି କଟକ ମହାନଗର ନିଗମର ଖାଧ୍ୟ ସୁରକ୍ଷା ଟିମ୍ । ହେଲେ ବ୍ୟବସାୟୀଙ୍କ ଉପରେ କୌଣସି ଫାଇନ କରାଯାଇନାହିଁ , କେବଳ ଖାଦ୍ୟ ସାମଗ୍ରୀ ଜବତ କରାଯାଇ ଚେତାବନୀ ଦିଆଯାଇଛି । ଆଗାମୀ ଦିନରେ ବ୍ୟବସାୟୀଙ୍କୁ ସଚେତନ କରାଯିବା ସହ ପ୍ରଶିକ୍ଷଣ ଦିଆଯିବ ।

କଟକରେ ଦୀର୍ଘବର୍ଷ ଧରି ଏଭଳି ଗୁପଚୁପ ବ୍ୟବସାୟ ଚାଲିଛି । ଖବର ପ୍ରସାରଣ ପରେ ଚେତୁଛି ପ୍ରଶାସନ । ଏବେ ପ୍ରଶ୍ନ ଉଠୁଛି,ସତରେ କଣ ଗ୍ରାହକ ଆଗାମୀ ଦିନରେ ସ୍ୱଚ୍ଛ ପରିବେଶରେ ଗୁପଚୁପ ଖାଇବାକୁ ପାଇବେ ।