୨ ଦିନରେ ଆଦାନୀ ଯେତିକି ଧନ ହରାଇଲେ, ସେତିକିରେ ୮ ମାସ ଚଳିଯାଇଥାନ୍ତା ପାକିସ୍ତାନ

321

କନକ ବ୍ୟୁରୋ: ମାତ୍ର ୨ ଦିନରେ ବିଶ୍ୱର ୩ ନମ୍ବର ଧନୀ ବ୍ୟକ୍ତି ହରାଇଛନ୍ତି ବିପୁଳ ସମ୍ପତ୍ତି, ଯାହା ତାଙ୍କ ପୁରା ନେଟଓର୍ଥର ୫ ପ୍ରତିଶତ । ଫଳରେ ବିଶ୍ୱର ଟପ୍ ୧୦ ଧନୀ ତାଲିକାରୁ ତୃତୀୟରୁ ୭ମ ସ୍ଥାନକୁ ଖସିଆସିଛନ୍ତି ଆଦାନୀ ।

୨୦୨୨ରେ ଦୁନିଆଁର ବଡ ବଡ ଧନୀଙ୍କ ଭିତରେ ସବୁଠୁ ଅଧିକ ସମ୍ପତ୍ତି ଥିବା ଟପ୍ ୩ ଧନୀ ବ୍ୟକ୍ତି ଭାବେ ସ୍ଥାନ ପାଇଥିବା ଗୌତମ ଆଦାନୀଙ୍କ ନୂଆ ବର୍ଷର ପ୍ରଥମ ପାଦ ଭାରୀ ପଡିଛି । ଆମେରିକାର ଏକ ଇକୋନୋମିକ୍ ସର୍ଭେ କମ୍ପାନୀର ରିପୋର୍ଟ ତାଙ୍କ ପାଇଁ କାଳ ପାଲଟିଗଲା । ଏହି ରିପାର୍ଟ ସାରା ବିଶ୍ୱରେ ଏଭଳି ହଇଚଇ ସୃଷ୍ଟି କଲା ଯେ ଚାହୁଁ ଚାହୁଁ ମାତ୍ର ୨ ଦିନରେ ଗୌତମ ଅଦାନୀ ଏତେ ସମ୍ପତ୍ତି ହରାଇଲେ ଯେ, ଯାହା କାଙ୍ଗାଳ ପାଲଟୁଥିବା ପାକିସ୍ତାନକୁ ପାଖାପାଖି ୮ ମାସ ଚଳାଇଥାନ୍ତା ।

ଅଦାନୀଙ୍କ ବିରୋଧରେ ଉଠିଛି ବଡ ଅଭିଯୋଗ । ଅଦାନୀ ନିଜ ଷ୍ଟକ୍ ଓ ଆକାଉଣ୍ଟରେ ବର୍ଷ ବର୍ଷ ଧରି ବ୍ୟାପକ ହେରଫେର କରିଥିବା ନେଇ ଆମେରିକାର ଆକ୍ଟିଭିଷ୍ଟ ଇନଭେଷ୍ଟର ହିଣ୍ଡେନବର୍ଗ ପକ୍ଷରୁ ଅଭିଯୋଗ ଅଣାଯାଇଛି । ଗତ ମଙ୍ଗଳବାର ହିଣ୍ଡେନବର୍ଗ ପକ୍ଷରୁ ୱେବସାଇଟରେ ଏ ନେଇ ଏକ ବିସ୍ତୁତ ରିପୋର୍ଟ ପ୍ରକାଶ ପାଇବା ପରେ, ଭାରତୀୟ ପୁଞ୍ଜିବଜାର ଦୋହଲି ଯାଇଛି । ଏହାର ପ୍ରଭାବରେ ମାତ୍ର ଦୁଇ ଦିନରେ ୪ ଲକ୍ଷ କୋଟିରୁ ଅଧିକ କ୍ଷତି ହୋଇଛି, ଯାହା ପାକିସ୍ତାନକୁ ପାଖାପାଖି ୮ ମାସ ଚଳାଇଥାନ୍ତା ।