କିଭଳି ଫିକ୍ସିଂ ହୁଏ ପୁରସ୍କାର? କେନ୍ଦ୍ରମନ୍ତ୍ରୀଙ୍କ ତେରଚ୍ଛା ବାଣ ବଢାଇଲା ବିବାଦ…

324

କନକ ବ୍ୟୁରୋ: ଅବସର ଥିଲା ପୁରସ୍କାର ବିତରଣର, ଅତିଥି ଥିଲେ କେନ୍ଦ୍ର  ଶିକ୍ଷାମନ୍ତ୍ରୀ । ଆଉ ଟାର୍ଗେଟରେ ଥିଲା ପୁରସ୍କାର ଫିକ୍ସିଂ ଓ ଶ୍ରେୟ ରାଜନୀତି । ଶନିବାରଦିନ ଦିଲ୍ଲୀ କନଷ୍ଟିଚ୍ୟୁସନ କ୍ଲବ ପକ୍ଷରୁ ଓଡିଶା ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ଆଉ ନିଜର ଭାଷଣରେ ତେରଛା ବାଣ ମାରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାହାର ନାଁ ନନେଇ ପୁରସ୍କାର ପାଇବାକୁ କେମିତି କାରସାଦି କରାଯାଏ, କେମିତି ଫିକ୍ସିଂ ହୁଏ ତାର ଉଦହାରଣ ଦେଇ ବୁଝାଇଛନ୍ତି ଧର୍ମେନ୍ଦ୍ର । ଆଉ ଏଥିପାଇଁ ସେ ଗୋଲଡେନ ପିକକ୍ ଆୱାର୍ଡ କଥା ଉଠାଇଛନ୍ତି ।

ସେପଟେ ଶ୍ରେୟ ପାଇଁ ହେଉଥିବା ରାଜନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିରୋ ହ୍ୟୁମାନ ଲସ କଥା ରାଜ୍ୟ ସରକାର କହୁଥିବା ବେଳେ, ଏଥିପାଇଁ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନକୁ ଭୁଲିଯାଉଛନ୍ତି । ସେହିଭଳି ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଘରେ ଭୋଜନ କରିବା ବେଳର କଥା ମନେପକାଇ ଓଡିଆଙ୍କ କଙ୍କଡା ପ୍ରକୃତି କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅବଶ୍ୟ ଏଥିରେ କାହାକୁ ଟାର୍ଗେଟ କରୁଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ । ଧର୍ମେନ୍ଦ୍ର କହିଛନ୍ତି,ଓଡିଆ ଲୋକେ ପରସ୍ପରକୁ ଇର୍ଷା ଟିକିଏ ଅଧିକ କରିଥାନ୍ତି । ଆଉ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ଦେଇଛି ବିଜେଡି । ମନ୍ତ୍ରୀ ସମୀର ଦାସ କହିଛନ୍ତି,  କଥା କହିବାକୁ ପଇସା ପଡେ ନାହିଁ । କିଏ କଣ କହୁଛନ୍ତି ତାହାର ଜବାବ ଓଡିଶାବାସୀ ଦେବେ ।

ଦିଲ୍ଲୀ ପୁରସ୍କାର ବିତରଣ ଉତ୍ସବରେ ଧର୍ମେନ୍ଦ୍ରଙ୍କ ତେରଚ୍ଛା ବାଣକୁ ନୂଆ ବିବାଦ ସୃଷ୍ଟି କରିଛି । ଏଥିରେ ସମ୍ବାଦ ଓ କନକ ନ୍ୟୁଜର ପଟାଙ୍ଗୀ ପ୍ରତିନିଧି ପ୍ରଶାନ୍ତ କୁମାର ଦାଶଙ୍କୁ ପୁରସ୍କୃତ କରାଯାଇଥିଲା । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ସହ ବିବାଦୀୟ କୋଟିଆ ସମସ୍ୟାକୁ ଲୋକଲୋଚନକୁ ଆଣିଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।