ସ୍ୱାମୀ, ସ୍ତ୍ରୀଙ୍କ କଳି ଭିତରେ ବଳି ପଡିଲେ ହୋମଗାର୍ଡ କମାଣ୍ଡାଣ୍ଟ । ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ଘଟଣାରେ ସସପେଣ୍ଡ ହେବେ ମନୀଷ ଦୁବେ!

1,514

କନକ ବ୍ୟୁରୋ: ଏସଡିଏମ୍ ଜ୍ୟୋତି ମୌର୍ଯ୍ୟ ଓ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ କଳି ଭିତରେ ବଳି ପଡିଲେ ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେ । ଜ୍ୟୋତିଙ୍କ ସହ ମନୀଷଙ୍କ ସମ୍ପର୍କ ଥିବା ନେଇ ଆଲୋକ ଅଭିଯୋଗ କରିବା ପରେ ସାକ୍ଷୀ ପ୍ରମାଣର ଯାଞ୍ଚ କରିଥିଲେ ବିଭାଗୀୟ ଅଧିକାରୀ । ଏହି ଘଟଣାରେ ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ କରଯିବା ତଥା ଯାଞ୍ଚ କରାଯିବା ପରେ ମନୀଷ ଦୁବେ ଦୋଷୀ ବୋଲି ପ୍ରମାଣିତ ହୋଇଛନ୍ତି । ଫଳରେ ତାଙ୍କର ନିଲମ୍ବନ ପାଇଁ ସୁପାରିଶ ହୋଇଥିବା ଜଣାପଡିଛି ।

ମହୋବା ହୋମଗାର୍ଡ ଜିଲ୍ଲା କମାଣ୍ଡାଣ୍ଟ ମନୀଷ ଦୁବେଙ୍କର ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ସହ ସମ୍ପର୍କ ଥିବା ମାମଲା ବିବାଦୀୟ ହେବା ପରେ ଏହାର ଯାଞ୍ଚ ଦାୟିତ୍ୱ ନେଇଥିଲେ ହୋମଗାର୍ଡ ଡିଆଇଜି ସନ୍ତୋଷ ସିଂ । ସବୁ ସାକ୍ଷୀ ଓ ପ୍ରମାଣ ଯାଞ୍ଚ କରିବା ପରେ ରିପୋର୍ଟକୁ ହୋମଗାର୍ଡ ଡିଜିଙ୍କୁ ହସ୍ତାନ୍ତର କରିଛନ୍ତି, ଯେଉଁଥିରେ ମନୀଷ ଦୁବେ ଦୋଷୀ ପ୍ରମାଣିତ ହୋଇଛନ୍ତି । ମନୀଷ ବିଭାଗୀୟ ଛବିକୁ କ୍ଷୁର୍ଣ୍ଣ କରିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ତେଣୁ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯିବାକୁ ସୁପାରିଶ କରାଯାଇଛି ।