ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା । ଦୀର୍ଘଦିନ ପରେ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି ବିସ୍ଥାପିତ

237

କନକ ବ୍ୟୁରୋ : ହୀରାକୁଦ ଡ୍ୟାମ ବିଶ୍ୱର ସବୁଠୁ ବଡ଼ ମାଟି ବନ୍ଧ ପ୍ରକଳ୍ପ । ସ୍ୱାଧୀନତା ପରେ ପରେ ଓଡ଼ିଶାରେ ହୋଇଥିବା ହୀରାକୁଦ ଡ୍ୟାମ, ସାରା ରାଜ୍ୟକୁ ଆଲୋକିତ କରିଥିଲା । କିନ୍ତୁ ଏହି ପ୍ରକଳ୍ପ ପାଇଁ ଜମି ହରାଇଥିବା ଲୋକ କିନ୍ତୁ ଦଶନ୍ଧି ଦଶନ୍ଧି ଧରି ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବା ଲାଗି ସଂଘର୍ଷ କରି ଆସୁଛନ୍ତି । ସରକାରଙ୍କ ଘୋଷଣା, ସେମାନଙ୍କୁ ସାନ୍ତ୍ୱନା ଦେଇପାରୁନି । ବର୍ଷ ବର୍ଷ ଧରି ସେମାନଙ୍କ ମନ ଭିତରେ ପୁଂଜିଭୂତ ହୋଇ ରହିଛି ଦୁଃଖ, କ୍ଷୋଭ ଓ ତୀବ୍ର ଅସନ୍ତୋଷ । ସମସ୍ୟା ଏତେ ଯେ ସରକାରଙ୍କ ପ୍ରତିଶ୍ରୁତି, ସେମାନଙ୍କ ବିଶ୍ୱାସ ଜିତିପାରୁନି ।

ହୀରାକୁଦ ବନ୍ଧ ନିର୍ମାଣ ପାଇଁ ବିସ୍ଥାପିତ ହୋଇଥିବା ଝାରସୁଗୁଡ଼ା ଜିଲ୍ଲାର ୧୯ଟି ଗାଁର ୧୭୪୯ ପରିବାରକୁ ୫୦ ବର୍ଷ ପରେ ଜମି ପଟ୍ଟା ମିଳିବ । ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଡିସେମ୍ବର ପହିଲାରୁ ବଂଟା ହେବ ପଟ୍ଟା । ଲଖନପୁର ତହସିଲର ୧୮ ଗାଁ ଓ ଝାରସୁଗୁଡ଼ା ତହସିଲର ଗୋଟିଏ ଗାଁ ଉପକୃତ ହେବେ । ୧୭୪୯ ପରିବାରକୁ ପ୍ରାୟ ୩୨୩୧ ଏକର ଜମି ଉପରେ ଅଧିକାର ଦିଆଯିବ ।

୫-ଟି ସଚିବଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ ବେଳେ ବିସ୍ଥାପିତମାନେ ସେମାନଙ୍କ ସମସ୍ୟା ଜଣାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବସିଥିବା ବୈଠକରେ ଜମି ପଟ୍ଟା ଆବଂଟନ ପାଇଁ ନିଷ୍ପତି ନିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ୍ ଜାରି କରାଯାଇଛି । ତେବେ ଏହାକୁ ନିର୍ବାଚନୀ ଚାଲ୍ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ଏ ସଂପର୍କୀତ ମାମଲାର ଶୁଣାଣି କରି ଗତ ଏପ୍ରିଲ ମାସରେ ରାୟ ଦେଇଥିଲେ ଜାତୀୟ ମାନବ ଅଧିକାର କମିସନ । ବିସ୍ଥାପିତଙ୍କୁ କ୍ଷତିପୂରଣ ଓ ଥଇଥାନ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ଏନଏଚଆରସି ।