ପଞ୍ଜାବ ବିପକ୍ଷରେ ମ୍ୟାଚ୍ ଜିତାଇଲେ, ଅଚାନକ ସକାଳୁ ଘରକୁ ଫେରିଗଲେ । ଆଇପିଏଲ ମଝିରେ ରାଜସ୍ଥାନକୁ ଲାଗିଲା ବଡ ଝଟକା ।

610

କନକ ବ୍ୟୁରୋ : ପଞ୍ଜାବ ବିପକ୍ଷରେ ବଡ ବିଜୟ ହାସଲ କରିଥିବା ରାଜସ୍ଥାନ ରୟାଲ୍ସକୁ ଲାଗିଛି ବଡ ଝଟକା । ପଞ୍ଜାବ ବିପକ୍ଷରେ ଦଳକୁ ବିଜୟ ଭେଟି ଦେଇଥିବା ଦଳର ଷ୍ଟାର ଖେଳାଳୀ ସିମରନ ହେଟମାୟର ଆଇପିଏଲ ଅଧାରୁ ଘରକୁ ଫେରିଛନ୍ତି । ଦଳ ଏଯାବତ ପ୍ଲେ-ଅଫ୍ ପାଇଁ ଟିକେଟ ହାସଲ କରିନଥିବା ବେଳେ ହେଟମାୟର ନିଜ ଘରକୁ ଫେରିଯିବା ରାଜସ୍ଥାନ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଶନିବାର ଦଳକୁ ମ୍ୟାଚ୍ ଜିତାଇଥିବା ହେଟମାୟର ରବିବାର ସକାଳୁ ନିଜ ଘରକୁ ଫେରିଛନ୍ତି । ତେବେ ଘରକୁ ଯିବା ପୂର୍ବରୁ ରାଜସ୍ଥାନକୁ ଆଶ୍ୱସ୍ତି ଦେଇଛନ୍ତି ଯେ, ଖୁବଶୀଘ୍ର ସେ ପୁଣିଥରେ ଟିମରେ ସାମିଲ ହେବେ ଓ ଦଳ ପାଇଁ ବଳକା ଆଇପିଏଲ ମ୍ୟାଚ୍ ଖେଳିବେ । ଏହାଛଡା ପଏଣ୍ଟ ଟେବୁଲରେ ରାଜସ୍ଥାନ ଏବେ ତୃତୀୟ ସ୍ଥାନରେ ଥିବାରୁ ଦଳକୁ ଟିକିଏ ଆଶ୍ୱସ୍ତି ମିଳିଛି ।

ହେଟମାୟର ଯିବା ପୂର୍ବରୁ ରାଜସ୍ଥାନ ଟିମ ଟ୍ୱିଟରରେ ଏକ ଭିଡ଼ିଓ ସେୟାର କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ, ଆମେ ଯଥା ସମ୍ଭବ ତାଙ୍କୁ ସାହାଯ୍ୟ କରିବୁ । ହେଟମାୟର ଓ ତାଙ୍କ ପତ୍ନୀଙ୍କୁ ଦଳ ତରଫରୁ ଶୁଭକାମନା । ଆମର ଆଶା ଖୁବଶୀଘ୍ର ସେ ମୁମ୍ବାଇ ଫେରିବେ ଓ ଆଇପିଏଲର ୨୦୨୨ର ବଳକା ମ୍ୟାଚ୍ ଖେଳିବେ । କିନ୍ତୁ ଏଥର ତୁମେ ବାପା ହୋଇ ଫେରିବ ଓ ଆମେ ତୁମର ଅପେକ୍ଷା କରିବୁ । ହେଟମାୟର ଏବେ ବାପା ହେବାକୁ ଯାଉଥିବାରୁ ଘରକୁ ଫେରୁଛନ୍ତି ।

ଏହାସହ ଭିଡ଼ିଓରେ ହେଟମାୟର କହିଛନ୍ତି, ପିଲା ଥରେ ମାତ୍ର ଜନ୍ମ ନିଅନ୍ତି । ଆଉ ମୁଁ ମଧ୍ୟ ପ୍ରଥମ ଥର ବାପା ହେବାକୁ ଯାଉଛି । ତେଣୁ ଘରକୁ ଫେରୁଛି । ମୋର ସମସ୍ତ ସାମଗ୍ରୀ ଏହିଠାରେ ହିଁ ଅଛି । ମୋତେ ଆଦୌ ମିସ୍ କରିବନି । ମୁଁ ଖୁବଶୀଘ୍ର ମୁମ୍ବାଇ ଫେରିବି ।

ହେଟମାୟର ଏବେ ପର୍ଯ୍ୟନ୍ତ ଚଳିତ ଆଇପିଏଲ ସିଜିନରେ ୧୧ଟି ମ୍ୟାଚ୍ ଖେଳିଥିବେ ବେଳେ ୨୯୧ ରନ କରିଛନ୍ତି । ଏପରିକି ପଞ୍ଜାବ ବିପକ୍ଷ ମ୍ୟାଚରେ ୧୬ ବଲରୁ ୩୧ ରନର ଇନିଂସ ଖେଳି ଦଳକୁ ବିଜୟୀ କରିବାରେ ହେଟମାୟରଙ୍କୁ ବଡ ଭୂମିକାରେ ଦେଖିବାକୁ ମିଳିଥିଲା ।