ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀଙ୍କୁ ପ୍ରାର୍ଥୀ କଲା ବିଜେପି । ପୂର୍ବରୁ ବିଧାୟିକା ରହି ସାରିଛନ୍ତି ରାଧାରାଣୀ । 

239

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଛି । ରାଧାରାଣୀଙ୍କ ନାଁରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି । ଆଉ ଏହାସହ ପ୍ରଥମ ଦଳ ଭାବେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନାଁ ଘୋଷଣା କରିଛି ବିଜେପି । ପୂର୍ବରୁ ବ୍ରଜରାଜନଗରରୁ ବିଧାୟିକା ରହି ସାରିଛନ୍ତି ରାଧାରାଣୀ । ତେବେ ଗତ ୨୦୧୯ ନିର୍ବାଚନରେ ବିଜେପିର ହାୱା ଥିବା ସତ୍ତେ୍ୱ ମଧ୍ୟ ରାଧାରାଣୀ ପରାଜିତ ହୋଇଥିଲା । ବିଜେଡି ଏଠାରେ ବିଜୟୀ ବାନା ଉଡାଇଥିଲା ।

ପୂର୍ବରୁ ବ୍ରଜରାଜନଗର ଉପନିର୍ବାଚନରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ସସପେନ୍ସ ଦେଖିବାକୁ ମିଳିଥିଲା । ରାଧାରାଣୀ ନା ସୁଜିତ କାହା ନାଁରେ ବିଜେପିର ଶୀର୍ଷ ନେତୃତ୍ୱ ମୋହର ମାରିବେ ତାହାକୁ ଅପେକ୍ଷା କରିଥିଲେ ଦଳୀୟ କର୍ମୀ । ଯେହେତୁ ରାଧାରାଣୀ ଏଠାରେ ପୂର୍ବରୁ ବିଧାୟିକା ରହି ସାରିଛନ୍ତି ତେଣୁ ତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ସେହିଭଳି ଦଳର ଯୁବ ନେତା ସୁଜିତ ସିଂଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା କିଛି କମ ନଥିଲା । ଯେହେତୁ ୨୦୧୯ ନିର୍ବାଚନରେ ରାଧାରାଣୀ ପରାଜିତ ହୋଇଥିଲେ ତେଣୁ ସୁଜିତଙ୍କୁ ସୁଯୋଗ ଦିଆଯାଉ ବୋଲି ଦଳର ଗୋଟିଏ ଗୋଷ୍ଠୀ ଲବି କରୁଥିଲେ । କିନ୍ତୁ ବ୍ରଜରାଜନଗର ବାଜି ଜିତିବାକୁ ଦଳ ପୁରୁଖା ଓ ଅଭିଜ୍ଞ ରାଧାରାଣୀଙ୍କ ଉପରେ ପୁଣିଥରେ ଭରସା କରିଛି । ଅନ୍ୟପଟେ କଂଗ୍ରେସରୁ କିଶୋର ପଟେଲ ପ୍ରାର୍ଥୀ ହେବେ ବୋଲି ଦଳର ବିଧାୟକ ସନ୍ତୋଷ ସିଂ ସାଲୁଜା ଏକପ୍ରକାର ସ୍ପଷ୍ଟ କରି ସାରିଛନ୍ତି । ତେଣୁ ଏଭଳି ସ୍ଥଳେ ବ୍ରଜରାଜନଗରରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ବିଜେଡି ଶିବିରରୁ ଏକାଧିକ ଆଶାୟୀଙ୍କ ନାଁ ଏବେ ସାମ୍ନାକୁ ଆସୁଛି ।