କେଜ୍ରିୱାଲଙ୍କ ଗିରଫ ଉପରେ ଆମେରିକାର ଟିପ୍ପଣୀ, ଅସନ୍ତୋଷ ପ୍ରକାଶ କଲା ଭାରତ । ଆମେରିକା ରାଷ୍ଟ୍ରଦୁତଙ୍କୁ ସମନ ପଠାଇ କଲା ତଲବ

124

କନକ ବ୍ୟୁରୋ : ଆମେରିକା ଉପରେ ଭାରତ ଖପ୍ପା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ଆମେରିକା ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରିନି ଭାରତ । ବୁଧବାର ଆମେରିକା ରାଷ୍ଟ୍ରଦୂତ ଗ୍ଲୋରିଆ ବର୍ବନାଙ୍କୁ ଡକାଇ ତଲବ କରିଛି ଭାରତୀୟ ବୈଦେଶିକମନ୍ତ୍ରାଳୟ । ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ପରେ ଖାଲି ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇନାହିଁ, ବରଂ ବିଦେଶରେ ବି ଏହାର ଗୁଞ୍ଜରଣ ଶୁଣିବାକୁ ମିଳିଲାଣି । ଜର୍ମାନୀ ପରେ ଆମେରିକା ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଛି । ଆମେରିକାର ଷ୍ଟେଟ ଡିପାର୍ଟମେଂଟର ମୁଖପାତ୍ର କହିଛନ୍ତି ଯେ, ସେମାନେ କେଜ୍ରିୱାଲଙ୍କ ପ୍ରସଙ୍ଗରେ ନଜର ରଖିଛନ୍ତି । କେଜ୍ରିୱାଲଙ୍କ ପାଇଁ ନିପେକ୍ଷ, ସ୍ୱଛ ଓ ସମୟ ଅନୁଯାୟୀ ଆଇନ ପ୍ରକ୍ରିୟା ଚାଲିବ ବୋଲି ଆମେରିକାର ଆଶା ଥିବା ଆମେରିକୀୟ ମୁଖପାତ୍ର କହିଛି । ପୂର୍ବରୁ ଜର୍ମାନୀ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲା । କେଜ୍ରିୱାଲଙ୍କୁ ସ୍ୱଛ ଓ ନିରପେକ୍ଷ ନ୍ୟାୟ ମିଳିବା ଉଚିତ୍ କଥା କହିଥିଲେ ଜର୍ମାନୀ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର । ତେବେ ଏହି ପ୍ରସଙ୍ଗରେ ଭାରତ ସରକାର ଦୃଢ଼ ଆପତି ଉଠାଇଥିଲେ ।