ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ ଅବପାତ । ଗତ ୬ଘଣ୍ଟା ଧରି ୨୫ କିମି ବେଗରେ କରୁଛି ଗତି

288

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଅତିକ୍ରମ କରିଛି । ଏହି ତୀବ୍ରତା ଆଗାମୀ ୧୨ ଘଣ୍ଟା ଯାଏଁ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଏବେ ଅବପାତ ଉତ୍ତର ଛତିଶଗଡ଼ ଓ ଏହାର ପାଶ୍ୱବର୍ତ୍ତୀ ତଥା ପୂର୍ବ-ମଧ୍ୟପ୍ରଦେଶରେ ସକ୍ରିୟ ରହିଛି । ଯାହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବିଶେଷକରି ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଓ ବଲାଙ୍ଗୀର ବର୍ଷା ଜାରି ରହିବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟାରେ କଳାହାଣ୍ଡି ଜିଲ୍ଲା ଥୁ. ରାମପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏଠାରେ ୩୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୭ଟି ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ୪୩ଟି ସ୍ଥାନରେ ୧୧୫ରୁ ୨୦୦ ମିଲିମିଟର ବର୍ଷା ହୋଇଛି । ଦେବଗଡ଼ରେ ସର୍ବନିମ୍ନ ବର୍ଷା ହୋଇଛି । ଏଠାରେ ୧୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କୋଟପାଡ଼ରେ ୨୯୩ ମିମି, କ. ନୂଆଗାଁରେ ୨୩୫.୪ ମିମି, କଲମପୁରରେ ୨୧୮.୨ ମିମି, ଡାବୁଗାଁରେ ୨୧୩.୩ ମିମି, ବାଲିଗୁଡ଼ାରେ ୨୧୨ ମିମି, ବାଟଗାଁରେ ୨୧୦.୫ ମିମି, ଦାନପୁର-ରାମପୁରରେ ୨୦୩ ମିମି, ପାପଡ଼ାହାଣ୍ଡିରେ ୧୯୫ ମିମି, ମନ୍ଦିରାଡ୍ୟାମ ୧୯୨.୨ ମିମି ବର୍ଷା ରେକର୍ଡ କରାଯାଇଛି ।