ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବିଦେଶୀ କ୍ରିକେଟର । ଭାରତକୁ ନିଜର ଦ୍ୱିତୀୟ ଘର ବୋଲି କହିଲେ ୱାର୍ଣ୍ଣର ।

108

କନକ ବ୍ୟୁରୋ : ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରା କରି ୭୬ ବର୍ଷରେ ପାଦ ଦେଇଛି । ଆଉ ଏହାକୁ ଉତ୍ସବ ଭାବେ ପାଳନ କରୁଛି ପୂରା ଦେଶ । ୭୫ ବର୍ଷ ପୂରା କରିଥିବାରୁ ଏବେ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି । ଦେଶର କୋଣ ଅନୁକୋଣରେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ଦେଶର ବିଶିଷ୍ଟ ବ୍ୟକ୍ତି ମାନେ ଏହି ମହୋତ୍ସବରେ ନିଜକୁ ସାମିଲ କରିଛନ୍ତି । କେବଳ ଭାରତୀୟ କାହିଁକି ଅନେକ ବିଦେଶୀ ନାଗରିକ ମଧ୍ୟ ଭାରତର ଏହି ଉତ୍ସବରେ ନିଜକୁ ସାମିଲ କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ କିଛି ବିଦେଶୀ କ୍ରିକେଟର ରହିଛନ୍ତି ଯେଉଁମାନେ ଭାରତକୁ ବେଶ ଭଲପାଆନ୍ତି । ଆଉ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରତ୍ୟେକ ଭାରତୀୟଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ୱାର୍ଣ୍ଣର ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଭାରତୀୟ ପ୍ରଂଶସକଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତ ପ୍ରଂଶସକ ଓ ସେମାନଙ୍କ ପରିବାର ଓ ବନ୍ଧୁଙ୍କୁ ସ୍ୱାଧୀନତା ଦିବସା ଶୁଭକାମନା ଦେଇ ଭାରତୀୟଙ୍କ ମନ ଜିଣିଛନ୍ତି । ଏପରିକି ଭାରତକୁ ନିଜର ଦ୍ୱିତୀୟ ଘର ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି ୱାର୍ଣ୍ଣର । ଏହାପୂର୍ବରୁ ଅନେକ ଥର ଭାରତର ବିଭିନ୍ନ ପର୍ବପର୍ବାଣିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ବ୍ୟାଟର ।

ଡେଭିଡ ୱାର୍ଣ୍ଣରଙ୍କ ଭାରତରେ ଏକ ଫ୍ୟାନବେସ୍ ରହିଛି । ଲକ୍ଷ ଲକ୍ଷ ଭାରତୀୟ ଏହି ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ଦିୱାନା । ଦୀର୍ଘ ବର୍ଷ ଧରି ଆଇପିଏଲ ଖେଳି ଆସୁଥିବା ୱାର୍ଣ୍ଣର ଭାରତୀୟ କ୍ରିକେଟପ୍ରେମୀଙ୍କର ଅନେକ ସମୟରେ ମନ ଜିଣିଛନ୍ତି । ସୋସିଆଲ ମିଡ଼ିଆରେ ବିଭିନ୍ନ ବଲିଉଡ ଓ ଟଲିଉଡ ଗୀତରେ ରିଲ୍ସ କରି ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି ୱାର୍ଣ୍ଣର ।

ଡେଭିଡ ୱାର୍ଣ୍ଣରଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ ସାମି ମଧ୍ୟ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଟି-୨୦ ବିଶ୍ୱକପ ସହ ଫଟୋ ସେୟାର କରି ସାମି ଲେଖିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା । ଏଠାରେ ମୁଁ ମୋର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲି । ଅନ୍ୟପଟେ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଧୋନୀ, କୋହଲି, ରୋହିତ ଶର୍ମା, ସଚିନ ତେନ୍ଦୁଲକର, ଇରଫାନ ପଠାନ ମଧ୍ୟ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।