ବ୍ରଜରାଜନଗର ଉପ-ନିର୍ବାଚନ : କିଶୋରଙ୍କ ପାଇଁ ପ୍ରଚାର କରିବେ ଛତିଶଗଡ ମୁଖ୍ୟମନ୍ତ୍ରୀ, ଯୁବ ଭୋଟରଙ୍କ ଭୋଟ ହାତେଇବାକୁ ପ୍ରଚାର ମୈଦାନକୁ ଓହ୍ଲାଇବେ କହ୍ନେୟା ଓ ଜିଗ୍ନେଶ ।

451

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ । ଯେଉଁଥିରେ ଅନେକ ବଡ ଚେହେରାଙ୍କୁ ସାମିଲ କରାଯାଇଛି । ଖାସକରି ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କଂଗ୍ରେସର ଯୁବ ନେତା କହ୍ନେୟା କୁମାର ଓ ବିଧାୟକ ଜିଗ୍ନେଶ ମେୱାନି ମଧ୍ୟ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ । ଛତିଶଗଡ ସୀମାନ୍ତରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ରହି ଥିବାରୁ ଛତିଶଗଡର ଅନେକ ମନ୍ତ୍ରୀଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି । ସେହିଭଳି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ କହ୍ନେୟା କୁମାର ଓ ଜିଗ୍ନେଶ ମେୱାନିଙ୍କ ଭଳି ଯୁବ ନେତୃତ୍ୱଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବ ଦଳ ।

ସେହିଭଳି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର ସମସ୍ତ ବିଧାୟକ, ପ୍ରଭାରୀ ଚେଲ୍ଲା କୁମାର ଓ ଅନ୍ୟ ବରିଷ୍ଠ ନେତାଙ୍କୁ ମଧ୍ୟ ସାମଲି କରାଯାଇଛି । ବ୍ରଜରାଜନଗର ପୂର୍ବରୁ କଂଗ୍ରେସର ଗଡ ଥିବା ବେଳେ ଏବେ ପୁଣିଥରେ ଏହି ଆସନକୁ ଅକ୍ତିଆର କରିବାକୁ ଜୋରଦାର ଉଦ୍ୟମ କରିଛି କଂଗ୍ରେସ । ତୃଣମୂଳସ୍ତରରେ କଠିନ ପରିଶ୍ରମ ବଳରେ ପୁଣିଥରେ ବ୍ରଜରାଜନଗରରେ କଂଗ୍ରେସର ହାତ ଟେକିବ ବୋଲି ଆଶାବାଦୀ ଅଛନ୍ତି କଂଗ୍ରେସ ନେତୃତ୍ୱ ।