ଡହ ଡହ ଖରାରେ ସିଝୁଛନ୍ତି କାଳିଆ ସାଆନ୍ତ । ସଭା ସରିଗଲା ପରେ ପଡିଆ ମଝିରେ ଛାଡି ଚାଲିଗଲା ଅବିବେକୀ ଟେଣ୍ଟ ମାଲିକ ।

241

କନକ ବ୍ୟୁରୋ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ନିକଟ ମାଲୁଦ ଯାତ୍ରା ପଡିଆରେ ଚାଲିଥିଲା କୌଣସି ସଭା । ମଞ୍ଚା ଉପରେ ମଞ୍ଚାସୀନ ହୋଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଅତିଥି ଆସିଲେ , ମଞ୍ଚ ଉପରେ ମହାପ୍ରଭୁଙ୍କ ପାଖରେ ଦୀପ ପ୍ରଜ୍ୱଳନ କଲେ । ଭାଷଣ ଦେଲେ । କେତେ କାର୍ଯ୍ୟକ୍ରମ ଚାଲିଲା । ସମୟ କ୍ରମେ ସଭା ଶେଷ ବି ହୋଇଗଲା । ସମସ୍ତେ କିଏ କୁଆଡେ ଚାଲିଗଲେ । ସଭା ପାଇଁ ହୋଇଥିବା ଟେଣ୍ଟ ବି ଭଙ୍ଗାହେଲା । ହେଲେ ସଭା ପଡିଆରେ ରହିଗଲେ ଜଣେ ।

ବିରାଟ ପଡିଆରେ ପଡି ରହିଛନ୍ତି କାଳିଆ ସାଆନ୍ତ । ତାଙ୍କୁ ଡହ ଡହ ଖରାରେ ଛାଡି ଚାଲିଗଲେ ଟେଣ୍ଟ ମାଲିକ । ତାଙ୍କ ଉପରେ ଘୋଡେଇଦେଇଗଲେ ଖଣ୍ଡିଆ ଜରି ଅଖା ଖଣ୍ଡେ । ଏ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦେଖିବା ପରେ ଆଘାତ ପାଇଛି ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କ ମନ ।

କେହି ଯୁକ୍ତି କରିପାରେ ଯେ ସେ ତ ଜଗତର ସ୍ରଷ୍ଟା ତାଙ୍କୁ ଖରା ବର୍ଷା କ’ଣ । କିନ୍ତୁ ଏ ସାଧାରଣ ଚର୍ମ ଚକ୍ଷୁରେ ତ ତାଙ୍କର ମାନବୀୟ ଲୀଳା ଖେଳୁଛି । ଜଣେ ଶ୍ରଦ୍ଧାଳୁ ପାଇଁ ସେ ଅତି ଆପଣାର ପ୍ରାଣପ୍ରିୟ ଠାକୁର । ତେଣୁ ତାଙ୍କୁ ଏଭଳି ଖରାରେ ଦେଖିବା ପରେ ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କ ଭାବନା ଆଘାତ ପାଇଛି ।