ମେଡିକାଲ ବିଜ୍ଞାନର ବଡ ସଫଳତା । ଭାରତରେ ପ୍ରଥମଥର ପାଇଁ ରୋବଟ୍ କଲା ସ୍ତନ କର୍କଟର ସଫଳ ଅପରେସନ

164

କନକ ବ୍ୟୁରୋ : ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର ପାଇଁ ରୋବଟ ସହାୟତାରେ ସ୍ତନ କର୍କଟର ସଫଳ ଅସ୍ତ୍ରୋପଚାର ହୋଇଛି।ଦୁଇ ଜଣ ମହିଳାଙ୍କର ଟିସୁର ପୁନଃନିର୍ମାଣ କରାଯିବା ସହ ଏଥିରେ ସ୍ତନ କାଟିବାର ଆବଶ୍ୟକତା ପଡି ନାହିଁ ଯାହା କି ଏହି କ୍ଷେତ୍ରରେ ଏକ ବଡ଼ ସଫଳତା। ପଂଜାବୀ ବାଗ ସ୍ଥିତ ସିକେ ବିର୍ଲା ହସ୍ପିଟାଲର କର୍କଟ ରୋଗ ଚିକିତ୍ସା ବିଭାଗର ନିର୍ଦେଶକ ଡାକ୍ତର ମନ୍ଦୀପ ସିଂ ମାଲହୋତ୍ର ଏ ନେଇ ସୂଚନା ଦେଇଛନ୍ତି।

୨୭ ବର୍ଷୀୟ ଜଣେ ମହିଳା ପ୍ରସବ ପରେ ସ୍ତନ ପାଖରେ ଗୁଳା ଥିବାର ଅନୁଭବ କଲେ। ଗର୍ଭବାସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଏକା ସାଧାରଣ କଥା ଭାବି ମହିଳା ଜଣକ ଏଡାଇ ଦେଇଥିଲେ। କିନ୍ତୁ ପରେ ଚେକଅପରୁ ସେ ସ୍ତନ କର୍କଟର ପ୍ରଥମ ଚରଣରେ ପୀଡିତ ବୋଲି ଜଣା ପଡିଥିଲା। ଏହା ପରେ ସେ କେମୋଥେରାପି, ଇମିନ୍ୟୁଥେରାପି ଓ ନାଚୁରାଲ ସପ୍ଲିମେଣ୍ଟ ନେବା ଆରମ୍ଭ କରିଥିଲେ।

ରୋବଟ ସାହାଯ୍ୟରେ ଟିସୁକୁ ପୁନଃ ନିର୍ମାଣ କରା ଯାଇଥିଲା ଓ ସ୍ତନ ମଧ୍ୟ ସୁରକ୍ଷିତ ଥିଲା। ଏପରିକି ଠିକ ହେବା ପରେ ସେ ନିଜ ଶିଶୁକୁ ନିଜର ସ୍ତନ୍ୟପାନ ମଧ୍ୟ କରାଇ ପାରୁଛନ୍ତି।
ଠିକ ଏହି ପ୍ରକାରର ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ୬୦ ବୟସ୍କା ମହିଳାଙ୍କର ମଧ୍ୟ ସ୍ତନ କର୍କଟର ଉପଚାର ସମ୍ଭବ ହୋଇ ପାରିଛି। ଏହି ଉପଚାରରେ ରୋବଟ ସାମିଲ ହୋଇ ଅତି ନିଖୁଣ ଭାବେ କାମ କରୁଥିବାରୁ ଚର୍ମ ମଧ୍ୟ ବେଶୀ କିଛି ନଷ୍ଟ ହୋଇ ନଥାଏ। ଚିକିତ୍ସା ପରେ ଏବେ ଉଭୟ ମହିଳା ସୁସ୍ଥ ଅଛନ୍ତି।