ଇଞ୍ଜିନିୟରିଂ ଚାକିରିରୁ ମିଳିଲାନି ଆତ୍ମସନ୍ତୋଷ: ସ୍ୱାଧୀନ ଭାବେ ବଞ୍ଚିବା ପାଇଁ ଚାକିରି ଛାଡ଼ି ଆରମ୍ଭ କରିଛନ୍ତି ବହୁମୁଖୀ ଚାଷ

618

କନକ ବ୍ୟୁରୋ: ଇଞ୍ଜିନିୟରିଂ ଚାକିରିରେ ଲାଗିଲାନି ମନ । ସ୍ୱାଧୀନ ଭାବେ ବଂଚିବା ପାଇଁ ଚାକିରି ଛାଡ଼ି ବହୁମୁଖୀ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଇଞ୍ଜିନିୟର ଛାତ୍ର । ଯୁବ ଇଞ୍ଜିନିୟରଙ୍କ ତରଭୁଜ ଚାଷ । ୫ ଏକର ଜମିରେ ଲାଗିଛି ତରଭୁଜ । ଚଳିତ ବର୍ଷ ପାଣିପାଗ ସାଥ ଦେଇନଥିଲେ ମଧ୍ୟ ପ୍ରଚୁର ପରିମାଣର ତରଭୁଜ ଫଳିଛି । ଯେତିକି ଆଶା ଥିଲା ତା ଠାରୁ କମ ହୋଇଥିଲେ ମଧ୍ୟ ୨ରୁ ୩ଲକ୍ଷ ଟଙ୍କା ଲାଭ ହେବ ବୋଲି ଆଶା ରଖିଛନ୍ତି ଯୁବ ଚାଷୀ ରୁପକ୍ ।

ବାଲେଶ୍ୱର ସଦର ବ୍ଲକର ରୂପକ ବେହେରା । ଇଞ୍ଜିନିୟରିଂ ପଢ଼ା ଶେଷ କରିବା ପରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ । କିନ୍ତୁ ଚାକିରି ଅର୍ଥରେ ସନ୍ତୁଷ୍ଟ ନଥିଲେ । ଲକଡାଉନ୍ ସମୟରେ କମ୍ପାନୀର ଦୁରାବସ୍ଥା ଦେଖି ଚାକିରି ଛାଡ଼ି ବ୍ୟବସାୟ ଆରମ୍ଭ କଲେ । ହେଲେ ଲକ୍ଷ୍ୟଥିଲା ଇଂଟିଗ୍ରେଟେଡ ଫାର୍ମିଂ କରିବା । ତେଣୁ କିଛି ସାଙ୍ଗମାନଙ୍କ ସହିତ ମିଶି ଆରମ୍ଭ କଲେ ବହୁମୁଖୀ ଚାଷ । ପ୍ରଥମେ ଛତୁ, କଲରା, ତରଭୁଜ, କଖାରୁ କରିଥିଲେ । ସେଥିରୁ ଲାଭ ମିଳିବା ପରେ ଏବେ ତରଭୁଜ ଚାଷ କରିଛନ୍ତି । ଆଗକୁ ଥଇଲାଣ୍ଡ ବରୋକୋଳି, କାଶ୍ମୀର ଆପଲବେରି, ଥାଇ ଗୁଆଭା ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରୂପକ ।

ରୁପକ ୫ ଏକର ଜାଗାରେ ତରଭୁଜ ଚାଷ କରିଥିବା ବେଳେ ୮ଶହ କୁଇଂଟାଲ ଆମଦାନୀ କରିସାରିଲେଣି । ଆଉ ପାଖାପାଖି ୫ଶହ କୁଇଂଟାଲ ତରଭୁଜ ଅମଳ ହେବାର ଆଶା ରହିଛି । ନିଜ ଫାର୍ମରୁ ଅମଳ ହେଉଥିବା ତରଭୁଜ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରିବା ସହ ପଶ୍ଚିମବଙ୍ଗର ଗଡ଼ବେତା, ପାଉଁଶକୁଡ଼ା, ଖଡ଼ଗପୁର, ମେଦିନପୁରକୁ ରପ୍ତାନୀ କରୁଛନ୍ତି । ଚାଷ ପାଇଁ ରୁପକ ୪ରୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ୭ରୁ ୮ ଲକ୍ଷ ଟଙ୍କା ରୋଜଗାର ହେବ ବୋଲି ଆଶା ରହିଛି ।

ନିଜସ୍ୱ ଉଦ୍ୟମରେ କାମ କରିବାର ନିଶା ରୂପକଙ୍କୁ ଦେଇଛି ସଫଳତା । ଚାଷ କାମ କରି ଭଲ ରୋଜଗାର କରିବା ସହ ଆର୍ଥିକ ସ୍ଥିତିରେ ପରିବର୍ତନ ଆଣିଛନ୍ତି ରୂପକ । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।