ଦିଲ୍ଲୀ ଓ ବିହାର ଯାଉଛି ମୋହନା ଅଞ୍ଚଳର କଞ୍ଚା ପଣସ: ଚାଷୀଙ୍କଠାରୁ କମ୍ ଦରରେ କିଣି ଅଧିକ ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ

617

କନକ ବ୍ୟୁରୋ: ପଣସ ଏକ ରୁତୁକାଳୀନ ଫଳ ହୋଇଥିବା ବେଳେ ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ସ ରହିଛି । ଏହାକୁ କଂଚାରୁ ଆରମ୍ଭ କରି ପାଚିଲା ପର୍ଯ୍ୟନ୍ତ ଲୋକେ ଖାଇଥାଆନ୍ତି । ତେବେ ଗଜପତି ଜିଲ୍ଲାରୁ ଉତ୍ପାଦନ ହେଉଥିବା ପଣସ ବିହାର ଓ ଦିଲ୍ଲୀକୁ ରପ୍ତାନୀ ହେଉଛି । ପାହାଡ଼ିଆ ଅଂଚଳର ଏହି ପଣସ ପୂର୍ବରୁ ଗ୍ରାମାଂଚଳରେ ସୀମିତ ରହୁଥିଲା । ସମୟର ତାଳେ ତାଳେ ଏବେ ଏହା ସହରି ଲୋକଙ୍କୁ ଖାଦ୍ୟ ପାଲଟିଗଲାଣି । ପନିପରିବା ଭଳି କଂଚା ପଣସକୁ ତରକାରି କରି ଖାଉଛନ୍ତି ଲୋକେ । ବଜାରରେ ଏହାର ଚାହିଦା ବଢ଼ୁଥିବା ବେଳେ କ୍ୱିଂଟାଲ କ୍ୱିଂଟାଲ କଷି ପଣସ ରାଜ୍ୟ ତଥା ରଜ୍ୟ ବାହାରକୁ ରପ୍ତାନୀ ହେଉଛି ।

ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଜିଲ୍ଲାରେ ପ୍ରଚୁର ପରିମାଣର ପଣସ ଫଳିଛି । ପୂର୍ବରୁ ଏହାର ବ୍ୟବହାର ତଥା ଚାହିଦା କମ୍ ରହୁଥିବାରୁ ଗଛରେ ପଣସ ପାଚି ନଷ୍ଟ ହେଉଥିଲା । କିନ୍ତୁ ଏବେ ସ୍ଥାନେ ସ୍ଥାନେ ପଣସ କିଣିବା ପାଇଁ ଆଗ୍ରହୀ ବ୍ୟବସାୟୀ ମାନେ ବାହାରୁ ଆସି ମାଳମାଳ ଦୋକାନ ଖୋଲିଛନ୍ତି । ଚାଷୀଙ୍କ ଠାରୁ କମ୍ ଦରରେ ପଣସ କିଣି ଅଧିକ ପଇସା ରୋଜଗାର କରୁଛନ୍ତି । ତେବେ ସର୍ବାଧିକ ଆମଦାନୀ ହେଉଥିବା ରାମଗିରି ଓ ଏହାର ଆଖପାଖ ଅଂଚଳର ଚାଷୀଙ୍କ ପାଇଁ ଶିତଳଭଣ୍ଡାରର ସୁବିଧା ନଥିବାରୁ ସମସ୍ୟା ଭୋଗୁଛନ୍ତି ଚାଷୀ । ପୂର୍ବରୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପଣସ ଗଛ ରୋପଣ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିଲା । କିନ୍ତୁ ଏବେ ଏହାର କୌଣସି ସୁବିଧା ମିଳୁନାହିଁ ।

ଗଜପତି ଜିଲ୍ଲାର ରାଇପଙ୍କ, ପାଣିଗଣ୍ଡା, ମୋହନା, ଚାନ୍ଦିପୁଟ, ଯୁବଗାଁ, ଉଦୟଗିରି, ରାମଗିରି, ପରିସଲ, ଜିରାଙ୍ଗ, ଶିଆଳିଲଟି ଅଂଚଳରେ ଅଧିକ ପଣସ ଗଛ ରହିଛି । ହେଲେ ସରଂକ୍ଷଣ କରିବା ପାଇଁ ମଣ୍ଡିିର ବ୍ୟବସ୍ଥା ନାହିଁ ।