କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ବଦଳାଇଲେ କି ବିଜେପିର ଭାଗ୍ୟ ? ଧାମନଗର ଫଳାଫଳର ଆରମ୍ଭ ହେଲା ପୋଷ୍ଟମର୍ଟମ୍ ।

316

କନକ ବ୍ୟୁରୋ: ଧାମନଗର ଉପ ନିର୍ବାଚନ ଫଳାଫଳ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ବିଜେଡିର ବିଜୟଧାରାରେ ବିଜେପି କେମିତି ବ୍ରେକ୍ ଲଗାଇବାରେ ସକ୍ଷମ ହେଲା? ଦଳୀୟ ପ୍ରାର୍ଥୀଙ୍କୁ ବିଜେି କେମିତି ଜିତାଇବାରେ ସକ୍ଷମ ହେଲା? ତାକୁ ନେଇ ଆଲୋଚନା ହେଉଛି । କୁହାଯାଉଛି, ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଧାମନଗର ରଣନୀତି ଦଳର ଭାଗ୍ୟକୁ ବଦଳାଇ ଦେଇଛି । କିନ୍ତୁ ବିଜେଡିର ରଣନୀତି ଫେଲ ମାରିଲା । ଆଉ ଧାମନଗରରେ ବିଜୟୀ ହେବା ପରେ ବିଜେପି ଏବେ ଆରମ୍ଭ କରିଛି ମିଶନ ପଦ୍ମପୁର ।

ଧାମନଗର ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ବିଜୟୀ ହେବା ପରେ ଆରଡି ଯାଇ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିଛନ୍ତି । ସୂରଜଙ୍କୁ ଆରଡିରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମହିଳାମାନେ ଫୁଲମାଳ ଦେଇ ସୂର୍ଯ୍ୟବଂଶୀଙ୍କୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ସୂରଜ କହିଛନ୍ତି, ସାଧାରଣ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବାକୁ କରିବେ ଉଦ୍ୟମ । ସମସ୍ତେ କେମିତି ପାଇବେ ନ୍ୟାୟ ଜାରି ରଖିବେ ଲଢ଼େଇ ।

  • ପଦ୍ମପୁର ପାଇଁ ବିଜେପିର ପ୍ରସ୍ତୁତି
  • ବିଜେଡି କରୁଛି ଧାମନଗର ଫଳାଫଳର ସମୀକ୍ଷା

ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହେବା ପରେ ଏବେ ଆରମ୍ଭ କରିଛି ମିଶନ ପଦ୍ମପୁର । ଆଗାମୀ ପଦ୍ମପୁର ଉପନିର୍ବାଚନରେ କିଭଳି ଦଳର ବିଜୟଧାରାକୁ ବଜାୟ ରଖି ହେବ, ତାକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତି କରୁଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ଶାସକ ଦଳ ବିଜେଡି ଧାମନଗର ପରାଜୟର ସମୀକ୍ଷା କରୁଛି । ବିଜେଡି କାହିଁକି ହାରିଲା କାରଣ ଖୋଜୁଛି । କଂଗ୍ରେସ ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନର ମାନସମନ୍ଥନ କରୁଛି ।

  • ସଫଳ ହେଲା କି ବିଜେପିର ନୂଆ ରଣନୀତି?
  • ବିଫଳ ହେଲା କି ବିଜେଡିର ଯୋଜନା ?

ଧାମନଗର ଉପନିର୍ବାଚନରେ ବିଜେପି ବିଜୟୀ ହେବା ପଛରେ ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ରଣନୀତି କାମ ଦେଇଥିବା ଚର୍ଚ୍ଚା ହେଉଛି । କୁହାଯାଉଛି, ସୁନୀଲ ବଂଶଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିବା ରଣନୀତି ଅନୁସାରେ ନିର୍ବାଚନ ଲଢ଼ିଥିଲା ଭାରତୀୟ ଜନତା ପାର୍ଟି । ସୁନୀଲ ବଂଶଲଙ୍କ ନିର୍ଦ୍ଦେଶରେ ବିଜେପି ନେତା ତୃଣମୂଳ ସ୍ତରରେ ରହି ରଣନୀତି ପ୍ରସ୍ତୁତ କରିଥିଲେ । ବିଜେପିର ଏହି ରଣନୀତିକୁ ଭେଦ କରିପାରିନଥିଲା ବିଜେଡି ।

ବିଜେଡି ଧାମନଗରରେ ନୂଆ ପରୀକ୍ଷା କରିଥିଲା । ଯେଉଁଥିରେ ବିଶେଷ କରି ବିଜେଡିର ଯୁବ ଟିମ ସହ କୋର ଟିମ୍ ନିର୍ବାଚନ ଲଢ଼ୁଥିଲେ । ନିର୍ବାଚନ ଲଢ଼ି ଜିତିବାର ଅଭିଜ୍ଞତା ଥିବା ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇନଥିଲା । ବିଶେଷକରି ଭଦ୍ରକ ଓ ପଡୋଶୀ ଜିଲ୍ଲା ଯାଜପୁରର ବିଜେଡି ନେତାଙ୍କ ଉପରେ ଭରଷା କରିଥିଲା ଦଳ କିନ୍ତୁ ଦଳର ଏହି ରଣନୀତି ଫେଲ ମାରିଥିଲା । ସେହିପରି ପ୍ରାର୍ଥୀ ଚୟନକୁ ନେଇ ପ୍ରଥମରୁ ଅସନ୍ତୋଷ ଦେଖାଦେଇଥିଲା । ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିବା ପରେ ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ । ଯାହା ଶାସକ ଦଳ ପରାଜୟର ଆଉ ଏକ କାରଣ ବୋଲି ଚର୍ଚ୍ଚା ହେଉଛି ।

ଏବେ ପ୍ରଶ୍ନ ଉଠୁଛି, ବିଜୟରେ ବ୍ରେକ ଲାଗିଲା ପରେ ପଦ୍ମପୁର ଉପନିର୍ବାଚନରେ ବିଜେଡିର ରଣନୀତି କଣ ରହିବ? ପଦ୍ମପୁରରେ ଅଭିଜ୍ଞ ଟିମକୁ ଦାୟିତ୍ୱ ଦେବ ନା ପୁଣି ଧାମନଗର ଭଳି ନୂଆ ଟିମ ଉପରେ ଭରସା କରିବ ବିଜେଡି? ଜୋସରେ ଥିବା ବିଜେପି ଧାମନଗର ଫଳାଫଳକୁ ବଜାୟ ରଖି ବିଜେଡି ଗଡ ଦଖଲ କରିପାରିବ ତ?