ଆସନ୍ତାକାଲି ଚନ୍ଦ୍ରଗହଣ । ଶ୍ରୀମନ୍ଦିରର ସାରାରାତି ହେବ ନୀତିକାନ୍ତି । ପଢନ୍ତୁ, କେତେ ସମୟ ରହିଛି ପାକ ନିଷେଧ?

418

କନକ ବ୍ୟୁରୋ: ଆସନ୍ତାକାଲି ଚଳିତ ବର୍ଷର ଶେଷ ଚନ୍ଦ୍ରଗହଣ । ଗ୍ରହଣ ଲାଗୁଥିବାରୁ ହିନ୍ଦୁ ପରମ୍ପରା ଅନୁଯାୟୀ ଅନେକ ରୀତିନୀତି ରହିଛି । କାଲି ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । ତେବେ କାର୍ତ୍ତିକ ପୂର୍ଣ୍ଣମା ଥିବାରୁ ରାତି ୨ଟାରୁ ଭୋର ୫ଟା ୩୮ ମିନିଟ ଯାଏଁ ଡଙ୍ଗା ଭସାଇ ପାରିବେ ଶ୍ରଦ୍ଧାଳୁ । ଗ୍ରହଣ ଯୋଗୁଁ ଆଜି ସାରାରାତି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚାଲିବ । ଗ୍ରହଣ ନୀତିକୁ ଦୃଷ୍ଟିରେ ରଖି ଆଜି ରାତି ପହୁଡ଼ ଠାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ଅପରାହ୍ଣ ୨ଟା ୩୮ ପର୍ଯ୍ୟନ୍ତ ସୁନାବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ମଙ୍ଗଳବାର ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । ଗ୍ରହଣ ଲାଗୁଥିବାରୁ ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । କାର୍ତ୍ତିକ ପୂର୍ଣ୍ଣମୀ ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରର ନୀତିରେ ପରିବର୍ତ୍ତନ କରାଯାଇଛି । ସାରାରାତି ନୀତିକାନ୍ତି ଚାଲିବ ।

ଶ୍ରୀମନ୍ଦିର: ସାରାରାତି ନୀତିକାନ୍ତି

  • ଆଜି ରାତି ୧୦ଟାରେ ପହୁଡ଼ ପଡିବ
  • ରାତି ୧୨ଟା ୧୦ରେ ହେବ ଦ୍ୱାରଫିଟା ନୀତି
  • ରାତି ୧୨ଟା ୩୦ରେ ମଙ୍ଗଳ ଆଳତୀ, ରାତି ୧ଟା ୧୫ରେ ଅବକାଶ ନୀତି
  • ରାତି ୨ଟା ୩୦ରେ ମହାପ୍ରଭୁଙ୍କ ସୁନାବେଶ
  • ୩ଟା ୨୦ରେ ସକାଳ ଧୂପ ପରେ ଭୋର ୫ଟା ୫୦ରେ ପ୍ରଥମ ଭୋଗ
  • ସୂର୍ଯ୍ୟୋଦୟ ସମୟ ୫ଟା ୫୪ରୁ ଦେବନୀତି ବନ୍ଦ ରହିବ

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କର ସୁନାବେଶ ଅର୍ଥାତ ରାଜାଧିରାଜ ବେଶ ହେବ । ଗ୍ରହଣ ଯୋଗୁଁ ରାତି ୨ଟା ୩୦ରେ ମହାପ୍ରଭୁଙ୍କ ସୁନାବେଶ ହେବ ଏବଂ ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ପର୍ଯ୍ୟନ୍ତ ଅର୍ଥାତ ମଙ୍ଗଳବାର ୨ଟା ୩୮ ପର୍ଯ୍ୟନ୍ତ ସୁନାବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କେବଳ ଶ୍ରୀମନ୍ଦିର ପରିସରରେ ମୂତୟନ ହେବେ ୩୬ ପ୍ଲାଟୁନ୍ ପୁଲିସ । ତେବେ କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସା ଥିବାରୁ କେତେବେଳେ ଡଙ୍ଗା ଭସାଇବେ ଏହି ଚିନ୍ତା ଶ୍ରଦ୍ଧାଳୁଙ୍କୁ ଘାରିଛି । ତେବେ ଡଙ୍ଗା ଭସାଇବା ପାଇଁ ସମୟ ସ୍ଥିର କରାଯାଇଛି ।

ଗ୍ରହଣ ପାଇଁ ନୀତି ନିୟମ

  • ରାତି ୨ଟାରୁ ଭୋର ୫ଟା ୩୮ମଧ୍ୟରେ ଡଙ୍ଗା ଭସାଇ ପାରିବେ ଶ୍ରଦ୍ଧାଳୁ
  • ଚନ୍ଦ୍ରଗ୍ରହଣକୁ ନେଇ ହିନ୍ଦୁ ପରମ୍ପରାରେ ରହିଛି ଅନେକ କଟକଣା, ନୀତିକାନ୍ତି
  • ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ
  • ଗ୍ରହଣ ସମୟରେ ଖାଦ୍ୟ ଖାଇବାକୁ ବାରଣ କରାଯାଇଛି
  • ରୋଗୀ, ବୃଦ୍ଧ, ପିଲା ଓ ଗର୍ଭବତୀଙ୍କ କ୍ଷେତ୍ରରେ ନିୟମ କୋହଳ

ଚନ୍ଦ୍ରଗ୍ରହଣକୁ ରହିଥିବା ପରମ୍ପରା ଓ କଟକଣାକୁ ନେଇ ସବୁବେଳେ ମୁହଁମୁହିଁ ହୋଇଥାନ୍ତି ଧାର୍ମିକ ସଂସ୍ଥା ଓ ହେତୁବାଦୀ । ଗ୍ରହଣ ସମୟରେ ଚନ୍ଦ୍ରକୁ ଦେଖିବା ଅନୁଚିତ ବୋଲି ବିଶ୍ୱାସ ରହିଥିବା ବେଳେ ବିଜ୍ଞାନ ଏଥିରେ ଏକମତ ହୁଏ ନାହିଁ । ତେବେ ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ପ୍ରୋତ୍ସାହିତ କରିଥାନ୍ତି ବିଜ୍ଞାନୀ । ଚନ୍ଦ୍ରଗ୍ରହଣ ଦୃଶ୍ୟକୁ ସନ୍ଧ୍ୟା ୫ଟା ୫ ମିନିଟରୁ ୬ଟା ୧୯ ଯାଏ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିହେବ । ୧ ଘଣ୍ଟା ୧୨ ମିନିଟ୍ ୪୮ ସେକେଣ୍ଡ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ।