ବଡ଼ ଦେଉଳରେ ପୁଲିସ ବାବୁଙ୍କ ଦାଦାଗରି, ମହିଳା ଭକ୍ତଙ୍କୁ ମାଡ଼: ସଦର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପୀଡି଼ତା

146

କନକ ବ୍ୟୁରୋ: କାର୍ତିକ ମାସର ପଂଚୁକ ଚାଲିଥିବାବେଳେ ଶ୍ରୀମନ୍ଦିର ଭିତରେ ମୁତୟନ ସୁରକ୍ଷାକର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି । ଜଗମୋହନ ନିକଟରେ ହବିଷ୍ୟାଳିଙ୍କୁ ମାଡ ମାରିଛନ୍ତି ସୁରକ୍ଷା କର୍ମୀ । ଫଳରେ ସଂପୃକ୍ତ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ମହିଳାଙ୍କ ନାଁ ହେଲା ମାଧୁରୀ ଦାଶ । ସେ ବ୍ରହ୍ମପୁର ଅଂଚଳର ବୋଲି ଜଣାପଡିଛି । ପଂଚୁକର ଚତୁର୍ଥଦିନରେ ମାଧୁରୀ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଶ୍ରୀମନ୍ଦିର ଯାଇଥିଲେ । ଘଂଟିଦ୍ୱାର ନିକଟରେ ସୁରକ୍ଷାକର୍ମୀ ମାଧୁରୀଙ୍କୁ ଅଟକାଇଥିଲେ । ଏ ନେଇ ମାଧୁରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ସୁରକ୍ଷାକର୍ମୀ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

ବ୍ରହ୍ମପୁରର ଏହି ହବିଷ୍ୟାଳି ମାସେ ହେଲା ପୁରୀରେ ରହି କାର୍ତିକ ବ୍ରତ ପାଳନ କରୁଥିଲେ । ସେ ବାସେଳିସାହିରେ ରହୁଥିଲେ । ଘଟଣା ପରେ ମାଧୁରୀଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅତିରିକ୍ତ ଏସପି ଶ୍ରୀମନ୍ଦିର ଭିତରକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ସେ ଘଟଣାର ତଦନ୍ତ କରିବେ । ପୁରୀ ଏସପି ମେଡିକାଲରେ ମହିଳାଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ କଡା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ମାଡ ମାରିଥିବା ଓଏସଏପିର ହାବିଲଦାର ପ୍ରଶାନ୍ତ ଦଳେଇଙ୍କୁ ସସପେଣ୍ଡ କରାଯାଇଛି ।

ଶ୍ରୀମନ୍ଦିରକୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ଆଉ ମନ୍ଦିର ଭିତରେ ମହିଳା ଭକ୍ତଙ୍କୁ ଏଭଳି ମାଡକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି ।