ରୋହିତ ଛାଡିପାରନ୍ତି ଅଧିନାୟକ ପଦ? ୨୦୨୩ ଦିନିକିଆ ବିଶ୍ୱକପ୍ ହାର୍ଦ୍ଦିକଙ୍କ ନେତୃତ୍ୱରେ ଖେଳିବ କି ଟିମ୍ ଇଣ୍ଡିଆ?

278

କନକ ବ୍ୟୁରୋ : ନୂଆବର୍ଷରୁ ନୂଆ ଆରମ୍ଭ କରିପାରେ ଟିମ୍ ଇଣ୍ଡିଆ । ଭାରତୀୟ ଦଳରେ ବଡ ଧରଣର ପରିବର୍ତ୍ତନ କରିପାରେ ବିସିସିଆଇ । ଭିନ୍ନ ଫର୍ମାଟ ପାଇଁ ଭିନ୍ନ ଅଧିନାୟକ ଫର୍ମୁଲା ଆପଣାଇପାରେ ବିସିସିଆଇ । ଏନେଇ ଏବେଠୁ ଜୋର ଧରିଛି ଚର୍ଚ୍ଚା । ଆଉ ଯଦି ବିସିସିଆଇ ଏଭଳି ନିଷ୍ପତ୍ତି ନିଏ ତେବେ ରୋହିତ ଶର୍ମାଙ୍କୁ ଲାଗିପାରେ ବଡ ଝଟକା । କାରଣ ରୋହିତଙ୍କୁ ଉଭୟ ଦିନିକିଆ ଓ ଟି-୨୦ ଅଧିନାୟକ ପଦ ଛାଡିବାକୁ ପଡିପାରେ । ତେବେ ପ୍ରଶ୍ନ ଉଠୁଛି ଯଦି ରୋହିତଙ୍କ ହାତରୁ ଅଧିନାୟକ ପଦ ଯାଏ ତେବେ ଧଳା ବଲରେ ଭାରତୀୟ ଦଳର ଅଧିନାୟକ କିଏ ହେବ? କାହା ନାଁରେ ମୋହର ମାରିବ ବିସିସିଆଇ । ଏସବୁ ଭିତରେ ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ ଓ ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ବୁଧବାର ବିସିସିଆଇର ଆପେକ୍ସ କାଉନସିଲ ବୈଠକରେ ଭିନ୍ନ ଫର୍ମାଟ ପାଇଁ ଭିନ୍ନ ଅଧିନାୟକଙ୍କ ସମେତ ଭିନ୍ନ କୋଚ୍ ପାଇଁ ମଧ୍ୟ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ହାର୍ଦ୍ଦିକଙ୍କ ହାତରେ ଉଭୟ ଦିନିକିଆ ଓ ଟି-୨୦ ଫର୍ମାଟର ଅଧିନାୟକ ଭାର ଦେବାକୁ ବିସିସିଆଇ ଏକପ୍ରକାର ନିଷ୍ପତ୍ତି ନେଇସାରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପ୍ରକାଶ ପାଇଛି । ନାଁ ଗୋପନ ରଖିବା ସର୍ତ୍ତରେ ବିସିସିଆଇର ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଅଧିନାୟକ ପଦକୁ ନେଇ ହାର୍ଦ୍ଦିକଙ୍କ ସହ ଆଲୋଚନା ହୋଇଛି । ଏପରିକି ହାର୍ଦ୍ଦିକ ଏଥିପାଇଁ କିଛି ଦିନ ସମୟ ମାଗିଥିବା କୁହାଯାଉଛି । ତେବେ ହାର୍ଦ୍ଦିକ କଣ ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଏ ସମସ୍ତ ନିଷ୍ପତ୍ତି ବିସିସିଆଇ ନୂଆ ଚୟନ କମିଟି ଗଠନ କରିବା ପରେ ହିଁ ନେବ ।

ଯଦି ଏମିତି ହୁଏ ତେବେ ହାର୍ଦ୍ଦିକଙ୍କ ନେତୃତ୍ୱରେ ଭାରତରେ ବିଶ୍ୱକପ ଖେଳିବ ଟିମ୍ ଇଣ୍ଡିଆ । କାରଣ ୨୦୨୩ରେ ଦିନିକିଆ ବିଶ୍ୱକପ୍ ଭାରତରେ ହିଁ ଖେଳାଯିବ । ହାର୍ଦ୍ଦିକଙ୍କ ପାଇଁ ଅଧିନାୟକ ଦାୟିତ୍ୱ ନୂଆ ନୁହେଁ । ଏହାପୂର୍ବରୁ ମଧ୍ୟ ଧଳା ବଲରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି ହାର୍ଦ୍ଦିକ । ଏବେ ପର୍ଯ୍ୟନ୍ତ ହାର୍ଦ୍ଦିକ ୫ଟି ଟି-୨୦ ମ୍ୟାଚରେ ଭାରତୀୟ ଦଳର ମଙ୍ଗ ଧରିଛନ୍ତି । ଯେଉଁଥିରୁ ୪ଟିରେ ଦଳ ବିଜୟୀ ହୋଇଛି । ସେହିଭଳି ଆଇପିଏଲରେ ମଧ୍ୟ ଗୁଜୁରାଟ ଟାଇଟନ୍ସର ନେତୃତ୍ୱ ନେଉଛନ୍ତି ହାର୍ଦ୍ଦିକ । ଏପରିକି ନିଜ ଅଧିନାୟକତ୍ୱର ପ୍ରଥମ ସିଜିନରେ ହିଁ ଆଇପିଏଲରେ ଡେବ୍ୟୁ କରିଥିବା ଗୁଜୁରାଟ ଟାଇଟନ୍ସକୁ ଚାମ୍ପିୟନ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ତେଣୁ ହାର୍ଦ୍ଦିକ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦିନିକିଆ ବିଶ୍ୱକପ ଜିତୁ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧି ବସିଛନ୍ତି । ୨୦୧୧ରେ ଭାରତରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା ଟିମ୍ ଇଣ୍ଡିଆ । ତେଣୁ ୨୦୨୩ରେ ମଧ୍ୟ ଟିମ୍ ଇଣ୍ଡିଆ ପୁଣିଥରେ ବିଶ୍ୱବିଜେତା ହେଉ ଏହା ସମସ୍ତ କ୍ରିକେଟପ୍ରେମୀଙ୍କ ଆଶା ।